ଓଭରହେଡ୍ ପାଣି ଟାଙ୍କି ନିର୍ମାଣ ସରିଛି, ହେଲେ ମିଳୁନି ପାଣି
Nayagarh (ନୟାଗଡ଼)ରିପୋର୍ଟ: ସଞ୍ଜୟ କୁମାର କଅଁର, ନୂଆଗାଁAugust 12, 202663 views

ନୟାଗଡ଼, ନୂଆଗାଁ: ଗ୍ରାମବାସୀଙ୍କୁ ନିୟମିତ ଓ ନିରାପଦ ପାନୀୟ ଜଳ ଯୋଗାଇବା ଲକ୍ଷ୍ୟରେ ନିର୍ମାଣ ହୋଇଥିବା ଓଭରହେଡ୍ ପାଣି ଟାଙ୍କି ରହିଛି, ହେଲେ ଟାଙ୍କିରେ ପାଣି ନାହିଁ। ଫଳରେ ଲୋକଙ୍କ ପାନୀୟ ଜଳ ସମସ୍ୟା ଦୂର ହେବା ବଦଳରେ ଦିନକୁ ଦିନ ଜଟିଳ ହେଉଛି।
ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମାଳିସାହି ପଞ୍ଚାୟତ ଅନ୍ତର୍ଗତ ଚକାପଥର ଗ୍ରାମରେ ଦୀର୍ଘ ବର୍ଷ ଧରି ଲାଗିରହିଥିବା ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ପୂର୍ବ ସରକାରଙ୍କ ସମୟରେ ମେଗା ପାନୀୟ ଜଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରକଳ୍ପ ମାଧ୍ୟମରେ ବିଭିନ୍ନ ଗ୍ରାମକୁ ପାଇପ୍ ବିଛା କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହୋଇଥିବା କୁହାଯାଉଛି। କିନ୍ତୁ ପ୍ରକଳ୍ପର ମୁଖ୍ୟ ଅଂଶ ଭାବେ ଥିବା ଓଭରହେଡ୍ ଟାଙ୍କି ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନଥିବାରୁ ଲୋକଙ୍କୁ ଏହାର ସୁଫଳ ମିଳୁନାହିଁ।
ଅନ୍ୟପକ୍ଷରେ ପ୍ରକଳ୍ପ ପରିସରର ପାଚେରୀ ନିର୍ମାଣ କାର୍ଯ୍ୟ ମଧ୍ୟ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନଥିବା ଅଭିଯୋଗ ହୋଇଛି। ଗ୍ରୀଷ୍ମ ଋତୁରେ ଗ୍ରାମକୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଣ କରାଯାଉଥିଲେ ମଧ୍ୟ ତାହା ନିୟମିତ ହେଉନଥିବାରୁ ଗ୍ରାମବାସୀ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ପାଇପ୍ ବିଛା କାର୍ଯ୍ୟ ଶେଷ ହୋଇଥିବା ସତ୍ତ୍ୱେ ଓଭରହେଡ୍ ପାଣି ଟାଙ୍କି କାହିଁକି କାର୍ଯ୍ୟକ୍ଷମ ହେଉନାହିଁ ଏବଂ ପ୍ରକଳ୍ପରୁ କେବେ ନିୟମିତ ପାନୀୟ ଜଳ ଯୋଗାଣ ହେବ, ସେନେଇ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି। ତୁରନ୍ତ ପ୍ରକଳ୍ପର ଅବଶିଷ୍ଟ କାର୍ଯ୍ୟ ସମ୍ପୂର୍ଣ୍ଣ କରି ଓଭରହେଡ୍ ଟାଙ୍କିକୁ କାର୍ଯ୍ୟକ୍ଷମ କରିବା ସହ ନିୟମିତ ପାନୀୟ ଜଳ ଯୋଗାଣ ନିଶ୍ଚିତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
