--:--:--
-- ---
Srishti News

ଦୁଇ ପରିଚୟପତ୍ରରେ ବୟସର ତାରତମ୍ୟ, ଭତ୍ତାରୁ ବଞ୍ଚିତ ୮୦ ବର୍ଷୀୟ ଦିବ୍ୟାଙ୍ଗ ମହିଳା: ଦୃଷ୍ଟିହୀନ ଇଛଦେଇଙ୍କ ପାଇଁ ଭତ୍ତା ଟଙ୍କା ହିଁ ଥିଲା ଏକମାତ୍ର ଆଶା; ପ୍ରଶାସନର ତୁରନ୍ତ ହସ୍ତକ୍ଷେପ ଦାବି

Nuapada (ନୂଆପଡ଼ା)ରିପୋର୍ଟ: ଭଜନ ଲାଲ ଜଗତ, ଖଡିଆଳAugust 12, 202628 views
ଦୁଇ ପରିଚୟପତ୍ରରେ ବୟସର ତାରତମ୍ୟ, ଭତ୍ତାରୁ ବଞ୍ଚିତ ୮୦ ବର୍ଷୀୟ ଦିବ୍ୟାଙ୍ଗ ମହିଳା: ଦୃଷ୍ଟିହୀନ ଇଛଦେଇଙ୍କ ପାଇଁ ଭତ୍ତା ଟଙ୍କା ହିଁ ଥିଲା ଏକମାତ୍ର ଆଶା; ପ୍ରଶାସନର ତୁରନ୍ତ ହସ୍ତକ୍ଷେପ ଦାବି
ଦୁଇଟି ଭିନ୍ନ ପରିଚୟପତ୍ରରେ ବୟସର ତାରତମ୍ୟ ଯୋଗୁଁ ସରକାରୀ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି ଜଣେ ଅସହାୟ ଦିବ୍ୟାଙ୍ଗ ବୃଦ୍ଧା। ଜୀବନର ଅପରାହ୍ଣରେ ଦୁଇ ଆଖିର ଦୃଷ୍ଟି ହରାଇ ସମ୍ପୂର୍ଣ୍ଣ ଦୃଷ୍ଟିବାଧିତ ହୋଇଥିବା ଏହି ମହିଳାଙ୍କ ପାଇଁ ସରକାରୀ ଭତ୍ତା ଥିଲା ଜୀବନ ଜିଇଁବାର ଏକମାତ୍ର ଭରସା। କିନ୍ତୁ କାଗଜପତ୍ରରେ ବୟସ ତାରତମ୍ୟ ଏବେ ତାଙ୍କ ଜୀବନକୁ ଆହୁରି ଦୁର୍ବିଷହ କରିଦେଇଛି। ଏଭଳି ଏକ ଦୁଃଖଦ ଘଟଣା ନୂଆପଡ଼ା ଜିଲ୍ଲା ତୁକଲା ଗ୍ରାମରୁ ସାମ୍ନାକୁ ଆସିଛି। ତୁକଲା ଗ୍ରାମର ଇଛଦେଇ ମାଝୀ ଜଣେ ସମ୍ପୂର୍ଣ୍ଣ ଦୃଷ୍ଟିବାଧିତ ଦିବ୍ୟାଙ୍ଗ ମହିଳା। ଦୁଇ ଆଖିର ଦୃଷ୍ଟି ହରାଇଥିବାରୁ ନିଜର ଦୈନନ୍ଦିନ ଜୀବନ ଚଳାଇବା ମଧ୍ୟ ତାଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି। ତାଙ୍କ ନିକଟରେ ଥିବା ଦୁଇଟି ପରିଚୟପତ୍ରରେ ବୟସକୁ ନେଇ ତାରତମ୍ୟ ରହିଥିବାରୁ ଭତ୍ତା ପ୍ରଦାନରେ ସମସ୍ୟା ସୃଷ୍ଟି ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଇଛଦେଇଙ୍କୁ ପୂର୍ବରୁ ମାସିକ ୩,୫୦୦ ଟଙ୍କା ଲେଖାଏଁ ଦିବ୍ୟାଙ୍ଗ ଭତ୍ତା ମିଳୁଥିଲା। ଲଗାତାର ତିନି ମାସ ଭତ୍ତା ପାଇବା ପରେ ବର୍ତ୍ତମାନ ତାଙ୍କ ଭତ୍ତା ବନ୍ଦ ହୋଇଯାଇଛି। ଫଳରେ ଔଷଧ, ଖାଦ୍ୟ ଓ ଦୈନନ୍ଦିନ ଆବଶ୍ୟକତା ପୂରଣ ସହ ନିଜର ଗୁଜୁରାଣ ମେଣ୍ଟାଇବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ଭତ୍ତା ପୁନଃ ନିୟମିତ କରିବା ପାଇଁ ବର୍ତ୍ତମାନ ଦିବ୍ୟାଙ୍ଗ ପ୍ରମାଣପତ୍ର ସହ ଆବଶ୍ୟକ କାଗଜପତ୍ରର ସମାଧାନ ଆବଶ୍ୟକ ଥିବା କୁହାଯାଉଛି। କିନ୍ତୁ ଇଛଦେଇ ସମ୍ପୂର୍ଣ୍ଣ ଦୃଷ୍ଟିବାଧିତ ହୋଇଥିବାରୁ ନିଜେ ପଞ୍ଚାୟତ କାର୍ଯ୍ୟାଳୟ କିମ୍ବା ବ୍ୟାଙ୍କକୁ ଯାଇ ଏସବୁ କାର୍ଯ୍ୟ କରିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ। ଏପରି ସ୍ଥିତିରେ ମାନବିକତାର ଦୃଷ୍ଟିକୋଣରୁ ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ଅଧିକାରୀମାନେ ତୁରନ୍ତ ମାମଲାରେ ହସ୍ତକ୍ଷେପ କରି ଇଛଦେଇଙ୍କ କାଗଜପତ୍ରରେ ଥିବା ସମସ୍ୟାର ସମାଧାନ କରିବା ସହ ତାଙ୍କ ଭତ୍ତା ପୁନଃ ଚାଲୁ କରିବାକୁ ଗ୍ରାମବାସୀ ଓ ବୁଦ୍ଧିଜୀବୀ ମହଲରୁ ଦାବି ହୋଇଛି। ଏଥିସହ ତାଙ୍କ ସମ୍ପୂର୍ଣ୍ଣ ଦୃଷ୍ଟିହୀନତାକୁ ଦୃଷ୍ଟିରେ ରଖି ଘରଦ୍ୱାରରେ ଭତ୍ତା ଟଙ୍କା ପହଞ୍ଚାଇବା ପାଇଁ ମଧ୍ୟ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି।