--:--:--
-- ---
Srishti News

ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ମଧୁସୂଦନ ସାହୁଙ୍କ ବିୟୋଗ: ଧାମନଗର ବିଜେପି ପରିବାରରେ ଶୋକ

Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁAugust 11, 202679 views
ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ମଧୁସୂଦନ ସାହୁଙ୍କ ବିୟୋଗ: ଧାମନଗର ବିଜେପି ପରିବାରରେ ଶୋକ
ଧାମନଗର: ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ଅଞ୍ଚଳର ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ଶ୍ରୀ ମଧୁସୂଦନ ସାହୁଙ୍କ ବିୟୋଗରେ ଧାମନଗର ବିଜେପି ପରିବାର ମଧ୍ୟରେ ଗଭୀର ଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗ ଦଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାମାନେ ପ୍ରକାଶ କରିଛନ୍ତି। ଶ୍ରୀ ସାହୁ ଦୀର୍ଘଦିନ ଧରି ଭାରତୀୟ ଜନତା ପାର୍ଟି ସହ ଜଡ଼ିତ ରହି ଦଳର ସଂଗଠନକୁ ମଜବୁତ କରିବାରେ ନିଜର ଅବଦାନ ରଖିଥିଲେ। ଦଳ ପ୍ରତି ତାଙ୍କର ନିଷ୍ଠା, ସମର୍ପଣ, ସାଧାରଣ ଲୋକଙ୍କ ପ୍ରତି ସେବାମନୋଭାବ ଓ ସାଂଗଠନିକ କାର୍ଯ୍ୟ ପ୍ରତି ତାଙ୍କର ଆନ୍ତରିକତା ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ଶୋକବ୍ୟକ୍ତ କରିଥିବା ନେତାମାନେ କହିଛନ୍ତି। ଛାତ୍ର ଜୀବନରୁ ହିଁ ଶ୍ରୀ ମଧୁସୂଦନ ସାହୁ ସାମାଜିକ ଓ ସାଂଗଠନିକ କାର୍ଯ୍ୟ ସହ ଜଡ଼ିତ ଥିଲେ। ଧାମନଗର କଲେଜରେ ଛାତ୍ର ଥିବା ସମୟରେ ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ବିଭିନ୍ନ ଦାୟିତ୍ୱ ତୁଲାଇଥିଲେ। ଛାତ୍ର ସମାଜର ବିଭିନ୍ନ ସମସ୍ୟା ଓ ସାମାଜିକ ପ୍ରସଙ୍ଗରେ ସେ ସକ୍ରିୟ ଭୂମିକା ନେଇଥିବା ସ୍ମୃତି ତାଙ୍କ ସହଯୋଗୀ ଓ ପରିଚିତମାନଙ୍କ ମନରେ ରହିଛି। ତାଙ୍କ ଦେହାନ୍ତ ପରେ ଶୋକାକୁଳ ପରିବାର, ବନ୍ଧୁ, ସହଯୋଗୀ ଓ ଦଳୀୟ କାର୍ଯ୍ୟକର୍ତ୍ତାମାନେ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ତାଙ୍କ ପାର୍ଥିବ ଶରୀରକୁ ଧାମନଗର କଲେଜ ପରିସରକୁ ନିଆଯାଇ ସେଠାରେ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ପରେ ତାଙ୍କ ପାର୍ଥିବ ଶରୀରକୁ ଧାମନଗର ବଜାର ପରିକ୍ରମା କରାଇ ଶ୍ମଶାନ ଘାଟକୁ ନିଆଯାଇଥିଲା। ସେଠାରେ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିଲା। ତାଙ୍କ ଅନ୍ତିମ ଯାତ୍ରାରେ ବିଜେପିର ବହୁ ନେତା, କାର୍ଯ୍ୟକର୍ତ୍ତା, ଶୁଭେଚ୍ଛୁ, ବନ୍ଧୁ ଓ ସ୍ଥାନୀୟ ଅଞ୍ଚଳର ବହୁ ଲୋକ ସାମିଲ ହୋଇ ତାଙ୍କୁ ଶେଷ ବିଦାୟ ଜଣାଇଥିଲେ। ତାଙ୍କ ବିୟୋଗରେ ଧାମନଗର ଅଞ୍ଚଳରେ ତାଙ୍କୁ ଜାଣିଥିବା ଲୋକଙ୍କ ମଧ୍ୟରେ ମଧ୍ୟ ଶୋକ ପ୍ରକାଶ ପାଇଛି।ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଛି। ଏଥିସହ ଦିବଙ୍ଗତ ଶ୍ରୀ ମଧୁସୂଦନ ସାହୁଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରାଯିବା ସହ ଏହି ଅପୂରଣୀୟ ଦୁଃଖକୁ ସହିବା ପାଇଁ ଶୋକାକୁଳ ପରିବାରକୁ ଭଗବାନ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରାଯାଇଛି। ଶ୍ରୀ ସାହୁଙ୍କ ବିୟୋଗରେ ଧାମନଗର ବିଜେପି ଜଣେ ନିଷ୍ଠାବାନ, ସମର୍ପିତ ଓ ସକ୍ରିୟ କାର୍ଯ୍ୟକର୍ତ୍ତାଙ୍କୁ ହରାଇଲା ବୋଲି ଦଳୀୟ ମହଲରେ ଶୋକ ପ୍ରକାଶ ପାଇଛି। ଦଳ ଓ ସମାଜ ପ୍ରତି ତାଙ୍କର ଅବଦାନ ଏବଂ ତାଙ୍କ ସହ ଜଡ଼ିତ ସ୍ମୃତି ସର୍ବଦା ସମସ୍ତଙ୍କ ମନରେ ଅମର ହୋଇ ରହିବ।