ତରବୋଡ଼ ଜେଏନଭିରେ ଜିଲ୍ଲାପାଳଙ୍କ ନେତୃତ୍ୱରେ ସ୍ୱଚ୍ଛତା ସଚେତନତା ଅଭିଯାନ
Nuapada (ନୂଆପଡ଼ା)ରିପୋର୍ଟ: ଗିରେନ୍ଦ୍ର ଜଗତ ଓ ମଲୟ ମେହେରAugust 8, 20268 views

ତରବୋଡ଼, ନୂଆପଡ଼ା ଜିଲ୍ଲାର ତରବୋଡ଼ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ (ଜେଏନଭି) ପରିସରରେ ସ୍ୱଚ୍ଛତା, ପରିବେଶ ସୁରକ୍ଷା ଏବଂ ଏକକ-ବ୍ୟବହାର ପ୍ଲାଷ୍ଟିକ୍ (ଏସୟୁପି) ବିରୋଧୀ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନେତୃତ୍ୱରେ ଆୟୋଜିତ ଏହି ଅଭିଯାନରେ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଓ କର୍ମଚାରୀମାନେ ସାମିଲ ହୋଇଥିଲେ।
ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଦାଶ ସ୍ୱଚ୍ଛତା, ପରିବେଶ ସୁରକ୍ଷା, ପ୍ଲାଷ୍ଟିକ୍ର କୁପ୍ରଭାବ ଏବଂ ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା ସମ୍ପର୍କରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ସଚେତନ କରିଥିଲେ। ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନରେ ଛାତ୍ରଛାତ୍ରୀମାନେ ‘ପରିବର୍ତ୍ତନର ଦୂତ’ ଭାବେ ନିଜ ପରିବାର ଓ ସମାଜକୁ ସଚେତନ କରିବାକୁ ସେ ଆହ୍ୱାନ ଦେଇଥିଲେ।
ବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ମାନଦଣ୍ଡର କଡ଼ା ଅନୁପାଳନ ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିଷିଦ୍ଧ ଏକକ-ବ୍ୟବହାର ପ୍ଲାଷ୍ଟିକ୍ର ବ୍ୟବହାର ଓ ପ୍ରବେଶ ରୋକିବା ସହ ଉତ୍ସସ୍ଥଳରୁ ବର୍ଜ୍ୟବସ୍ତୁ ପୃଥକୀକରଣ, ଏହାର ଉପଯୁକ୍ତ ପରିଚାଳନା ଓ ନିଷ୍କାସନ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ସେ କହିଥିଲେ।
ବିଦ୍ୟାଳୟ ପରିସରକୁ ଏକ ଆଦର୍ଶ ‘ଏସୟୁପି ଫ୍ରି ଓ ସ୍ୱଚ୍ଛ ପରିସର’ ଭାବେ ବିକଶିତ କରିବା ପାଇଁ ସମସ୍ତଙ୍କ ସକ୍ରିୟ ସହଯୋଗ ଆବଶ୍ୟକ ବୋଲି ଜିଲ୍ଲାପାଳ କହିଥିଲେ।
କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି, ଜିଲ୍ଲା ସ୍ୱଚ୍ଛ ସଂଯୋଜକ ଅନିଲ କୁମାର ଲେଙ୍କାଙ୍କ ସମେତ ବିଦ୍ୟାଳୟର ଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ।

