ସୁକିନ୍ଦା ହନୁମାନ ଛକରେ ମରଣଯନ୍ତା ପାଲଟିଛି ରାସ୍ତା: ବଡ଼ ବଡ଼ ଖାଲରେ ପଡ଼ି ସ୍କୁଟି ଚାଳକ ଆହତ, ଦୁର୍ଘଟଣାକୁ ନେଇ ବଢୁଛି ଅସନ୍ତୋଷ
Jajpur (ଯାଜପୁର)ଅନିଲ କୁମାର ଜେନାAugust 8, 202615 views

ସୁକିନ୍ଦା,
ଖଣି ଓ ଶିଳ୍ପ ସମୃଦ୍ଧ ସୁକିନ୍ଦା ନିର୍ବାଚନମଣ୍ଡଳୀର ଅନ୍ୟତମ ପ୍ରମୁଖ ରାସ୍ତା ଏବେ ଦୁର୍ଘଟଣାର ହଟ୍ସ୍ପଟ୍ ପାଲଟିଛି। ୫୩ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ଚଣ୍ଡିଖୋଲ-ଡୁବୁରି-ତାଳଚେର ରାସ୍ତାର ସୁକିନ୍ଦା ହନୁମାନ ଛକରେ ବଡ଼ ବଡ଼ ଖାଲଖମା ଯୋଗୁଁ ଆଜି ପୁଣି ଜଣେ ମହିଳା ସ୍କୁଟି ଚାଳକ ଦୁର୍ଘଟଣାର ଶିକାର ହୋଇଛନ୍ତି। ରାସ୍ତାର ଖାଲରେ ସ୍କୁଟି ଭାରସାମ୍ୟ ହରାଇବାରୁ ସେ ରାସ୍ତାକୁ ପଡ଼ିଯାଇଥିଲେ। ତେବେ ଅଳ୍ପକେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ଜଣାପଡ଼ିଛି।
ସୁକିନ୍ଦା ହନୁମାନ ଛକ ଏକ ବ୍ୟସ୍ତତମ ଅଞ୍ଚଳ। ଏହି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଛୋଟବଡ଼ ଯାନବାହନ ଚଳାଚଳ କରୁଛି। କଳିଙ୍ଗନଗରର ବିଭିନ୍ନ ଶିଳ୍ପାଞ୍ଚଳକୁ ଯାଉଥିବା ଭାରୀଯାନ, ଟ୍ରଲର, ଟ୍ରକ୍ ସମେତ ତାଳଚେର ଓ ଅନୁଗୁଳ ପଟୁ ଆସୁଥିବା ବାଣିଜ୍ୟିକ ଯାନଗୁଡ଼ିକ ଏହି ରାସ୍ତା ଦେଇ ଯାତାୟାତ କରୁଛି। ଫଳରେ ରାସ୍ତା ଉପରେ ଯାନବାହନର ଚାପ ଦିନକୁ ଦିନ ବଢ଼ୁଛି।
ଅନ୍ୟପକ୍ଷରେ, ଦୀର୍ଘଦିନ ଧରି ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲଖମା ସୃଷ୍ଟି ହୋଇଥିବାରୁ ବର୍ଷା ହେଲେ ସେଥିରେ ପାଣି ଜମି ଯାଉଛି। ଖାଲର ଗଭୀରତା ଜଣାପଡ଼ୁ ନଥିବାରୁ ଦୁଇଚକିଆ ଯାନ ଚାଳକମାନେ ବିଶେଷ ଭାବେ ବିପଦରେ ପଡ଼ୁଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଏହି ରାସ୍ତାରେ ପ୍ରାୟ ପ୍ରତିଦିନ କିଛି ନା କିଛି ଛୋଟବଡ଼ ଦୁର୍ଘଟଣା ଘଟୁଛି।
ସମ୍ପଦରେ ସମୃଦ୍ଧ, ରାସ୍ତାରେ ଅବ୍ୟବସ୍ଥା!
ଖଣିଜ ସମ୍ପଦ ଓ ଶିଳ୍ପ ପାଇଁ ସୁକିନ୍ଦାର ନାଁ ସାରା ରାଜ୍ୟରେ ଚର୍ଚ୍ଚିତ। କଳିଙ୍ଗନଗର ଶିଳ୍ପାଞ୍ଚଳର ବିକାଶରେ ଏହି ଅଞ୍ଚଳର ଗୁରୁତ୍ୱ ମଧ୍ୟ ଅନସ୍ୱୀକାର୍ଯ୍ୟ। କିନ୍ତୁ ‘ଦୀପ ତଳ ଅନ୍ଧାର’ ଭଳି ଶିଳ୍ପ ଓ ଖଣି ସମ୍ପଦରେ ସମୃଦ୍ଧ ଅଞ୍ଚଳର ଏକ ପ୍ରମୁଖ ଛକର ଏଭଳି ଦୟନୀୟ ଅବସ୍ଥାକୁ ନେଇ ପ୍ରଶ୍ନ ଉଠିଛି।
ଏହି ରାସ୍ତା ଦେଇ ସ୍ଥାନୀୟ ବ୍ୟବସାୟୀ, କର୍ମଜୀବୀ, ସ୍କୁଲ-କଲେଜ ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ପ୍ରତିଦିନ ଯାତାୟାତ କରୁଛନ୍ତି। ରାସ୍ତାର ଖାଲଖମା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହେବା ସହ ବ୍ୟବସାୟ ମଧ୍ୟ ପ୍ରଭାବିତ ହେଉଛି।
ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା, ସୁକିନ୍ଦା ହନୁମାନ ଛକ ଅତ୍ୟନ୍ତ ବ୍ୟସ୍ତ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନ। ଏଠାରେ ଦୁର୍ଘଟଣା ରୋକିବା ପାଇଁ ତୁରନ୍ତ ରାସ୍ତା ମରାମତି, ଖାଲଖମା ପୂରଣ ଓ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯିବା ଦରକାର।
ସୁକିନ୍ଦା ନିର୍ବାଚନମଣ୍ଡଳୀର ବିଧାୟକ ତଥା ରାଜ୍ୟ ସରକାରଙ୍କ ମନ୍ତ୍ରୀ ଡ. ପ୍ରଦୀପ ବଳ ସାମନ୍ତ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ତୁରନ୍ତ ରାସ୍ତା ମରାମତି ପାଇଁ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ନିବେଦନ କରିଛନ୍ତି। ଜନସାଧାରଣଙ୍କ ସୁରକ୍ଷା ସହ ବ୍ୟବସାୟୀ ଓ ଦୈନନ୍ଦିନ ଯାତାୟାତକାରୀଙ୍କ ସମସ୍ୟାର ସମାଧାନ ପାଇଁ ହନୁମାନ ଛକର ରାସ୍ତାକୁ ଶୀଘ୍ର ସୁଧାରିବା ଜରୁରୀ ବୋଲି ଦାବି ହୋଇଛି।
