--:--:--
-- ---
Srishti News

ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କଲେ ବିଜେଡିର ସରପଞ୍ଚ ଓ ସମିତିସଭ୍ୟ

Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁAugust 7, 2026154 views
ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କଲେ ବିଜେଡିର ସରପଞ୍ଚ ଓ ସମିତିସଭ୍ୟ
ଆଜି ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଅନ୍ତର୍ଗତ ବିଜେଡି ସମର୍ଥିତ ସରପଞ୍ଚ, ସମିତିସଭ୍ୟ ଓ ଅନ୍ୟାନ୍ୟ ନିର୍ବାଚିତ ଜନପ୍ରତିନିଧିମାନେ ମିଳିତ ଭାବେ ମାନ୍ୟବର ଜିଲ୍ଲାପାଳଙ୍କୁ ଭେଟି ବନ୍ୟା ପରିସ୍ଥିତି, ରିଲିଫ୍ ବଣ୍ଟନରେ ଦେଖାଦେଉଥିବା ବିଭିନ୍ନ ସମସ୍ୟା ଏବଂ ପଞ୍ଚାୟତ ରାଜ ସଂସ୍ଥା (PRI)ର ନିର୍ବାଚିତ ପ୍ରତିନିଧିମାନଙ୍କୁ ଅଣଦେଖା କରାଯାଉଥିବା ପ୍ରସଙ୍ଗ ଉପରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରତିନିଧିମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି କହିଥିଲେ ଯେ, ବନ୍ୟା ପରି ଏକ ସମ୍ବେଦନଶୀଳ ଓ ଦୁର୍ବିପାକପୂର୍ଣ୍ଣ ସମୟରେ ଲୋକଙ୍କ ଦ୍ୱାରା ନିର୍ବାଚିତ ସରପଞ୍ଚ, ସମିତିସଭ୍ୟ ଓ ଅନ୍ୟାନ୍ୟ PRI ପ୍ରତିନିଧିଙ୍କୁ ବିଶ୍ୱାସକୁ ନ ନେଇ ପ୍ରଶାସନିକ କାର୍ଯ୍ୟ କରାଯିବା ଗଣତାନ୍ତ୍ରିକ ପରମ୍ପରା ବିରୋଧୀ। ଏହାଦ୍ୱାରା ପ୍ରକୃତ କ୍ଷତିଗ୍ରସ୍ତ ଲୋକଙ୍କ ପାଖରେ ସଠିକ୍ ଓ ସମୟୋପଯୋଗୀ ସହାୟତା ପହଞ୍ଚାଇବାରେ ବାଧା ସୃଷ୍ଟି ହେଉଛି। ପ୍ରତିନିଧିମାନେ ଦାବି କରିଥିଲେ ଯେ, ବନ୍ୟା ରିଲିଫ୍ ବଣ୍ଟନ, କ୍ଷୟକ୍ଷତି ଆକଳନ ଓ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟରେ ସ୍ଥାନୀୟ ନିର୍ବାଚିତ ଜନପ୍ରତିନିଧିଙ୍କୁ ସାମିଲ କରାଯାଉ, ଯାହାଦ୍ୱାରା ପ୍ରକୃତ ହିତାଧିକାରୀମାନେ ସରକାରୀ ସହାୟତା ପାଇପାରିବେ ଏବଂ ସ୍ୱଚ୍ଛତା ବଜାୟ ରହିବ। ଦାବିପତ୍ର ଗ୍ରହଣ କରି ଜିଲ୍ଲାପାଳ ପ୍ରତିନିଧିମାନଙ୍କ ମତାମତକୁ ଗୁରୁତ୍ୱର ସହ ନେଇଥିଲେ। ସେ ଆଶ୍ୱାସନା ଦେଇଥିଲେ ଯେ, କୌଣସି PRI ପ୍ରତିନିଧିଙ୍କୁ ଏଭଳି ଗୁରୁତ୍ୱପୂର୍ଣ୍ଣ ସମୟରେ ଅଣଦେଖା କରାଯିବ ନାହିଁ ଏବଂ ଆଗାମୀ ଦିନରେ ବନ୍ୟା ପରିଚାଳନା ଓ ରିଲିଫ୍ ବଣ୍ଟନ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟରେ ସ୍ଥାନୀୟ ନିର୍ବାଚିତ ପ୍ରତିନିଧିଙ୍କ ସହ ସମନ୍ୱୟ ରକ୍ଷା କରାଯିବ।