--:--:--
-- ---
Srishti News

ସ୍କୁଲ ଛୁଟି ବେଳେ ରାସ୍ତାରେ ଭୟଙ୍କର ସ୍ଥିତି: ବର୍ଷା ଓ ବେପରୁଆ ଟ୍ରାଫିକ୍‌ ଯୋଗୁଁ ବିପଦରେ ଛାତ୍ରଛାତ୍ରୀଙ୍କ ଜୀବନ

Bhubaneswar (ଭୁବନେଶ୍ୱର)ଭୁବନେଶ୍ୱର ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼August 7, 202610 views
ସ୍କୁଲ ଛୁଟି ବେଳେ ରାସ୍ତାରେ ଭୟଙ୍କର ସ୍ଥିତି: ବର୍ଷା ଓ ବେପରୁଆ ଟ୍ରାଫିକ୍‌ ଯୋଗୁଁ ବିପଦରେ ଛାତ୍ରଛାତ୍ରୀଙ୍କ ଜୀବନ
​ IRC ଭିଲେଜ୍ ହାଇସ୍କୁଲ ସମ୍ମୁଖରେ ସ୍କୁଲ ଛୁଟି ସମୟରେ ଏକ ସଂଗୀନ ପରିସ୍ଥିତି ସୃଷ୍ଟି ହେଉଛି। ପ୍ରବଳ ବର୍ଷା ଓ ଜଳବନ୍ଦୀ ସମସ୍ୟା ମଧ୍ୟରେ ତିନି ପଟୁ ଦ୍ରୁତଗତିରେ ଗାଡ଼ିମୋଟର ମାଡ଼ି ଆସୁଥିବାରୁ ଛୋଟ ଛୋଟ ଛାତ୍ରଛାତ୍ରୀମାନେ ଘରକୁ ଫେରିବା ବେଳେ ପ୍ରାଣଭୟରେ ଆତଙ୍କିତ ହେଉଛନ୍ତି। ​ସ୍କୁଲ ଛୁଟି ହେବା ମାତ୍ରେ ରାସ୍ତାରେ ଅଟୋ, ବାଇକ୍, କାର୍‌ ଓ ଅନ୍ୟାନ୍ୟ ଯାନବାହାନର ପ୍ରବଳ ଭିଡ଼ ଜମୁଛି। ରାସ୍ତାରେ ଜଳନିଷ୍କାସନର ସଠିକ୍ ବ୍ୟବସ୍ଥା ନଥିବାରୁ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ଜମି ରହୁଛି, ଯାହାଫଳରେ ପିଲାମାନେ ଚାଲି ଚାଲି ଯିବାକୁ ବାଧ୍ୟ ହେଉଛନ୍ତି। ଏହି ସମୟରେ ତିନି ପାର୍ଶ୍ୱରୁ ଆସୁଥିବା ବେପରୁଆ ଗାଡ଼ିଗୁଡ଼ିକ ପିଲାଙ୍କ ଉପରକୁ ମାଡ଼ିଯିବାର ଆଶଙ୍କା ପ୍ରକାଶ ପାଉଛି। ​ସୁରକ୍ଷା ବ୍ୟବସ୍ଥା ଶୂନ୍ୟ: ସବୁଠାରୁ ଚିନ୍ତାର ବିଷୟ ହେଉଛି, ଏହି ସମ୍ବେଦନଶୀଳ ସମୟରେ ସ୍ଥାନୀୟ ଅଞ୍ଚଳରେ କୌଣସି ଟ୍ରାଫିକ୍ ପୋଲିସ୍ କିମ୍ବା ସୁରକ୍ଷା ବ୍ୟବସ୍ଥା ଦେଖିବାକୁ ମିଳୁନାହିଁ। ନା ଏଠାରେ ସ୍ପିଡ୍ ବ୍ରେକର ଅଛି, ନା ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ କୌଣସି ନିୟୋଜିତ କର୍ମଚାରୀ ଅଛନ୍ତି। ​ଅଭିଭାବକମାନେ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, "ପ୍ରତିଦିନ ସ୍କୁଲ ଛୁଟି ସମୟରେ ପିଲାଙ୍କୁ ନେବାକୁ ଆସିବା ବେଳେ ଛାତି ଧଡ଼ଧଡ଼ ହେଉଛି। କେତେବେଳେ କେଉଁ ପଟୁ ଗାଡ଼ି ଆସି ଧକ୍କା ଦେବ, ସେ ନେଇ ଭୟ ଲାଗିରହୁଛି।" ​ପ୍ରଶାସନର ଦୃଷ୍ଟି ଆକର୍ଷଣ: କୌଣସି ବଡ଼ ଧରଣର ଦୁର୍ଘଟଣା ଘଟିବା ପୂର୍ବରୁ ସ୍ଥାନୀୟ ପ୍ରଶାସନ, କମିଶନରେଟ୍ ପୋଲିସ ଓ ସ୍କୁଲ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଧ୍ୟାନ ଦେବାକୁ ଦାବି ହୋଇଛି। ସ୍କୁଲ ଛୁଟି ସମୟରେ ଟ୍ରାଫିକ୍ ପୋଲିସ୍ ନିୟୋଜନ କରିବା, ରାସ୍ତାରେ ସ୍ପିଡ୍ ବ୍ରେକର ବସାଇବା ଏବଂ ବର୍ଷା ପାଣି ନିଷ୍କାସନର ସ୍ଥାୟୀ ସମାଧାନ କରିବାକୁ ସ୍ଥାନୀୟ ବାସିନ୍ଦା ଓ ଅଭିଭାବକ ମହଲରୁ ଜୋରଦାର ଦାବି କରାଯାଇଛି।