ଡାକ୍ତର ଲୋଗୋ ଥିବା କାରରୁ ୩୨ କେଜି ଗଞ୍ଜେଇ ଜବତ, ୬ ଗିରଫ
Khordha (ଖୋର୍ଦ୍ଧା)ରିପୋର୍ଟ: ଯଦୁମଣି ବେହେରା, ଚିଲିକାAugust 6, 202672 views

ଏକ ବିଶେଷ ସୂତ୍ରରୁ ସୂଚନା ପାଇ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପୋଲିସ କୁହୁଡି ଫାଣ୍ଡି ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥରେ ଚଢ଼ାଉ କରି ୩୨ କେଜି ଗଞ୍ଜେଇ ଜବତ କରିବା ସହ ୬ ଜଣଙ୍କୁ ଗିରଫ କରିଛି। ଚୋରା ଚାଲାଣରେ ବ୍ୟବହୃତ ଏକ ଡାକ୍ତର ଲୋଗୋ ଲାଗିଥିବା ଦାମୀ କାର, ଏକ ବୋଲେରୋ ଏବଂ କିଛି ମୋବାଇଲ ଫୋନ ମଧ୍ୟ ପୋଲିସ ଜବତ କରିଛି।
ଟାଙ୍ଗୀ ଥାନା ପରିସରରେ ଆୟୋଜିତ ପ୍ରେସମିଟ୍ରେ ଥାନା ଅଧିକାରୀ (ଆଇଆଇସି) ରବୀନ୍ଦ୍ର କୁମାର ଭୁଜବଳ ଏହି ସୂଚନା ଦେଇଥିଲେ। ପୋଲିସର ସୂଚନା ଅନୁଯାୟୀ, ଗଞ୍ଜେଇ ଚାଲାଣ ସମ୍ପର୍କରେ ଗୁପ୍ତ ଖବର ପାଇ କୁହୁଡି ଫାଣ୍ଡି ନିକଟରେ ଦୁଇଟି ଗାଡ଼ିକୁ ଅଟକାଇ ତଲାସି କରାଯାଇଥିଲା। ସେଥିରୁ ଡାକ୍ତର ଲୋଗୋ ଥିବା କାରରୁ ୩୨ କେଜି ଗଞ୍ଜେଇ ଜବତ ହୋଇଥିଲା। ଅନ୍ୟପକ୍ଷରେ ବୋଲେରୋ ଗାଡ଼ିଟି ଏସ୍କର୍ଟ ଭାବେ ବ୍ୟବହୃତ ହେଉଥିବା ପୋଲିସ କହିଛି।
ଗିରଫ ଅଭିଯୁକ୍ତମାନେ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ବାପିନା ମଲିକ (୨୩), ଦୀପକ ମଲିକ (୨୦), ପରୀକ୍ଷିତ ମଲିକ (୨୫), ସଞ୍ଜୀବ କୁମାର ମଲିକ (୩୯), ଜୟରାମ ପ୍ରଧାନ (୨୫) ଓ ସଦାନନ୍ଦ ମଲିକ (୨୭) ବୋଲି ଜଣାପଡ଼ିଛି।
ଏହି ଚଢ଼ାଉରେ ଆଇଆଇସି ରବୀନ୍ଦ୍ର କୁମାର ଭୁଜବଳଙ୍କ ନେତୃତ୍ୱରେ ଏଏସଆଇ ତପନ କୁମାର ନାୟକ, ବସନ୍ତ କୁମାର ବେହେରା, ସୂର୍ଯ୍ୟକାନ୍ତ ମହାପାତ୍ର, ଅରୁଣ କୁମାର ବାରିକ, ପ୍ରଭଞ୍ଜନ ବେହେରା ପ୍ରମୁଖ ସାମିଲ ହୋଇଥିଲେ।
ଜବତ ଗଞ୍ଜେଇକୁ ଟାଙ୍ଗୀ ତହସିଲଦାର ସନାତନ ମଲିକଙ୍କ ଉପସ୍ଥିତିରେ ଓଜନ କରାଯାଇ ଜବତ ପ୍ରକ୍ରିୟା ସମ୍ପନ୍ନ କରାଯାଇଥିବାବେଳେ, ଏହି ରାକେଟ୍ରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
