--:--:--
-- ---
Srishti News

ଜଳିଗଲା ଘର ଓ ଗୁହାଳ, ଦୁଇ ବାଛୁରୀ ମୃତ

Bhadrak (ଭଦ୍ରକ)ରିପୋର୍ଟ : ଶିଶିର କୁମାର ସ୍ୱାଇଁAugust 5, 202683 views
ଜଳିଗଲା ଘର ଓ ଗୁହାଳ, ଦୁଇ ବାଛୁରୀ ମୃତ
ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ସରେଇ ଚୁଡାକୁଟି ପଞ୍ଚାୟତର ତାମ୍ପଳା ଗ୍ରାମରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ନରେନ୍ଦ୍ର ଭୋଇଙ୍କର ଦୁଇ ବଖରା ବାସଗୃହ ଓ ଗୁହାଳ ଘର ସମ୍ପୂର୍ଣ୍ଣ ଭାବେ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏହି ଅଘଟଣରେ ପରିବାରର ବ୍ୟାପକ କ୍ଷତି ଘଟିଥିବାରୁ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁଯାୟୀ, ଗତକାଲି ରାତିରେ ପରିବାର ସଦସ୍ୟମାନେ ଶୋଇପଡ଼ିବା ପରେ କୌଣସି ଅଜଣା କାରଣରୁ ପ୍ରଥମେ ଗୁହାଳ ଘରେ ନିଆଁ ଲାଗିଥିଲା। ଦେଖୁ ଦେଖୁ ନିଆଁ ଭୟଙ୍କର ରୂପ ଧାରଣ କରି ଗୁହାଳ ସହ ବାସଗୃହକୁ ମଧ୍ୟ ବ୍ୟାପିଯାଇଥିଲା। ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଘର ଭିତରେ ଥିବା ସମସ୍ତ ସାମଗ୍ରୀ ଜଳିପୋଡ଼ି ନଷ୍ଟ ହୋଇଯାଇଥିଲା। ଅଗ୍ନିକାଣ୍ଡ ସମୟରେ ଗୁହାଳ ଭିତରେ ବନ୍ଧା ହୋଇଥିବା ଦୁଇଟି ଗାଈ ଓ ଦୁଇଟି ବାଛୁରୀ ନିଆଁରେ ଫସିଯାଇଥିଲେ। ଅତ୍ୟନ୍ତ ଦୁଃଖଦ ବିଷୟ ହେଉଛି, ଦୁଇଟି ବାଛୁରୀ ସମ୍ପୂର୍ଣ୍ଣ ଭାବେ ଜଳି ମୃତ୍ୟୁବରଣ କରିଥିଲେ। ତେବେ ଦୁଇଟି ଗାଈ ଖୁଣ୍ଟ ଉପାଡ଼ି କୌଣସି ପ୍ରକାରେ ବାହାରକୁ ପଳାଇ ଆସି ପ୍ରାଣ ରକ୍ଷା କରିଥିଲେ। ସେମାନେ ଆହତ ହୋଇଥିବା ସୂଚନା ମିଳିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବହୁ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। ତେବେ ସେତେବେଳକୁ ଘର ଓ ଗୁହାଳ ସମ୍ପୂର୍ଣ୍ଣ ଭାବେ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ଘଟଣାସ୍ଥଳରେ ଆର୍.ଆଇ. ଶୁଭଶ୍ରୀ ନାୟକ ପହଞ୍ଚି କ୍ଷତିଗ୍ରସ୍ତ ପରିବାର ସହ ଆଲୋଚନା କରି ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ତଥ୍ୟ ସଂଗ୍ରହ କରାଯାଇଥିବା ସୂଚନା ମିଳିଛି। ଏହି ଅଗ୍ନିକାଣ୍ଡରେ ନରେନ୍ଦ୍ର ଭୋଇଙ୍କ ପରିବାରର ବ୍ୟାପକ ଆର୍ଥିକ କ୍ଷତି ଘଟିଥିବାରୁ ସରକାରୀ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ଲୋକମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଅଗ୍ନିକାଣ୍ଡର ପ୍ରକୃତ କାରଣ ସମ୍ପର୍କରେ ତଦନ୍ତ ଜାରି ରହିଛି।