୩ ଦିନ ବିତିଲା, ବ୍ରାହ୍ମଣୀ ନଦୀରେ ନିଖୋଜ ଯୁବକ ଅଂଶୁମାନଙ୍କର ଏପର୍ଯ୍ୟନ୍ତ ମିଳିଲାନି ସନ୍ଧାନ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 5, 2026204 views

ତାଳଚେର: ତାଳଚେର ବ୍ଲକ ଅନ୍ତର୍ଗତ କଙ୍କିଳି ପଞ୍ଚାୟତର କାକୁଡ଼ି ଗ୍ରାମ ନିକଟ ବ୍ରାହ୍ମଣୀ ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିବା ୨୨ ବର୍ଷୀୟ ଯୁବକ ଅଂଶୁମାନ ଗଡ଼ନାୟକଙ୍କର ଘଟଣାକୁ ତିନି ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିନାହିଁ। ଏହାକୁ ନେଇ ପରିବାର ସଦସ୍ୟଙ୍କ ମଧ୍ୟରେ ଗଭୀର ଶୋକ ଓ ଚିନ୍ତାର ବାତାବରଣ ସୃଷ୍ଟି ହୋଇଥିବାବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମଧ୍ୟ ଆଶଙ୍କା ବଢ଼ିଚାଲିଛି।
ସୂଚନା ଅନୁସାରେ, ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଉଳିଗଡ଼ (ଅରାହଟ) ଗ୍ରାମର ବାସିନ୍ଦା ଅଂଶୁମାନ ଗଡ଼ନାୟକ, ପିତା ଅନିଲ କୁମାର ଗଡ଼ନାୟକ ଓ ମାତା ସୁପ୍ରଭା ଗଡ଼ନାୟକଙ୍କର ଏକମାତ୍ର ପୁଅ। ତିନି ଦିନ ପୂର୍ବେ ସେ ମାମୁଁ ଘରକୁ ଆସିଥିବାବେଳେ କାକୁଡ଼ି ଗ୍ରାମ ନିକଟ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ସେହି ସମୟରେ ନଦୀର ପ୍ରବଳ ସ୍ରୋତରେ ସେ ଭାସିଯାଇ ନିଖୋଜ ହୋଇଥିଲେ।
ଘଟଣା ସମ୍ପର୍କରେ ଖବର ପାଇ ତାଳଚେର ପୋଲିସ, ଅଗ୍ନିଶମ ବାହିନୀ ଓ ଓଡ୍ରାଫ (ODRAF) ଟିମ୍ ଘଟଣାସ୍ଥଳରେ ପହଞ୍ଚି ଲଗାତାର ଉଦ୍ଧାର ଓ ଖୋଜାଖୋଜି କାର୍ଯ୍ୟ ଚଳାଇଛନ୍ତି। ତେବେ ନଦୀର ପ୍ରଖର ସ୍ରୋତ ଯୋଗୁଁ ଏପର୍ଯ୍ୟନ୍ତ ଯୁବକଙ୍କର କୌଣସି ସନ୍ଧାନ ମିଳିପାରିନାହିଁ। ଉଦ୍ଧାରକାରୀ ଦଳଙ୍କ ପକ୍ଷରୁ ଖୋଜାଖୋଜି ଜାରି ରହିଥିବା ସୂଚନା ମିଳିଛି।
ନିଖୋଜ ଅଂଶୁମାନଙ୍କ ପିତା ଅନିଲ କୁମାର ଗଡ଼ନାୟକ ଓ ମାତା ସୁପ୍ରଭା ଗଡ଼ନାୟକ ପୁଅର ସନ୍ଧାନକୁ ନେଇ ଗଭୀର ଦୁଃଖ ଓ ଅନିଶ୍ଚିତତା ମଧ୍ୟରେ ସମୟ କାଟୁଛନ୍ତି। ପରିବାର ସଦସ୍ୟ ଓ ଗ୍ରାମବାସୀ ଉଦ୍ଧାର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ସହ ଯଥାଶୀଘ୍ର ଅଂଶୁମାନଙ୍କର ସନ୍ଧାନ ପାଇଁ ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି।
