୮୦ ବର୍ଷରେ ବି ମିଳିନି ପକ୍କା ଘର, ଭତ୍ତା ଉଠାଇବାକୁ ବ୍ୟାଙ୍କ ଯିବାରେ ଅସମର୍ଥ ବୃଦ୍ଧା
Kendrapara (କେନ୍ଦ୍ରାପଡ଼ା)ରିପୋର୍ଟର -- କୈଳାଶ ଚନ୍ଦ୍ର ବଳ , ପଟ୍ଟାମୁଣ୍ଡାଇAugust 4, 202662 views

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସଂସାରଫଳ ଗ୍ରାମ ପଞ୍ଚାୟତର ସଂସାରଫଳ ଗ୍ରାମର ବାସିନ୍ଦା କୁନି ପ୍ରଧାନ (୮୦) ଆଜି ବି ମୌଳିକ ସୁବିଧାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି। ବୟସର ଅପରାହ୍ନରେ ପହଞ୍ଚିଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ଏକ ପକ୍କା ବାସଗୃହ ପାଇନାହାନ୍ତି। ଭଙ୍ଗାଦଦରା ଘରେ ଅତ୍ୟନ୍ତ କଷ୍ଟରେ ଜୀବନ ବିତାଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି।
ସରକାରଙ୍କ ସାମାଜିକ ସୁରକ୍ଷା ଭତ୍ତା ବ୍ୟାଙ୍କ ମାଧ୍ୟମରେ ପ୍ରଦାନ କରାଯାଉଥିଲେ ମଧ୍ୟ କୁନି ପ୍ରଧାନ ବୃଦ୍ଧାବସ୍ଥା ଓ ଶାରୀରିକ ଅସୁସ୍ଥତା କାରଣରୁ ବ୍ୟାଙ୍କକୁ ଯିବାରେ ଅସମର୍ଥ ବୋଲି ଜଣାପଡ଼ିଛି। ତାଙ୍କର ସ୍ୱାମୀ ଓ ସନ୍ତାନ କେହି ନଥିବାରୁ ଭତ୍ତା ଟଙ୍କା ଉଠାଇବାରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଫଳରେ ସରକାରୀ ସହାୟତା ପାଇବାରେ ମଧ୍ୟ ସେ ବଞ୍ଚିତ ହେଉଥିବା ଅଭିଯୋଗ ଉଠିଛି।
ସ୍ଥାନୀୟ ବୁଦ୍ଧିଜୀବୀ ଓ ଗ୍ରାମବାସୀଙ୍କ ମତରେ, ଜଣେ ଅସହାୟ ବୃଦ୍ଧାଙ୍କ ପାଇଁ ଘର ଓ ଭତ୍ତା ସୁବିଧା ସହଜରେ ଉପଲବ୍ଧ କରାଇବା ଅତ୍ୟନ୍ତ ଜରୁରୀ। ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି କୁନି ପ୍ରଧାନଙ୍କୁ ଏକ ସରକାରୀ ବାସଗୃହ ଯୋଗାଇବା ସହ ତାଙ୍କ ଭତ୍ତା ଘରେ ପହଞ୍ଚାଇବା କିମ୍ବା ସହଜ ଉପାୟରେ ପ୍ରଦାନ କରିବାକୁ ଦାବି ଜୋର ଧରିଛି।
ଅସହାୟ ବୃଦ୍ଧାଙ୍କ ଏହି କରୁଣ ପରିସ୍ଥିତି ପ୍ରତି ସରକାର ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଶୀଘ୍ର ଆବଶ୍ୟକ ପଦକ୍ଷେପ ନେବେ ବୋଲି ସାଧାରଣରେ ଆଶା ପ୍ରକାଶ ପାଉଛି।
