--:--:--
-- ---
Srishti News

ବନ୍ୟାରେ ଧୋଇଗଲା ରାସ୍ତା, ସରକାରୀ ସହାୟତାକୁ ଅପେକ୍ଷା ନକରି କାଠ ପୋଲ ନିର୍ମାଣ କଲେ ଗ୍ରାମବାସୀ: ବୋଡ଼େନ ବ୍ଲକର ଶିଆଳଲଟି ନାଲାରେ ସାମୂହିକ ଶ୍ରମର ଅନନ୍ୟ ଉଦାହରଣ, ସ୍ଥାୟୀ ପୋଲ ନିର୍ମାଣ ଦାବି

Nuapada (ନୂଆପଡ଼ା)ରିପୋର୍ଟ: କାଶ୍ୟପ ଜଗତ ଓ ମଳୟ ମେହେରAugust 3, 2026147 views
ବନ୍ୟାରେ ଧୋଇଗଲା ରାସ୍ତା, ସରକାରୀ ସହାୟତାକୁ ଅପେକ୍ଷା ନକରି କାଠ ପୋଲ ନିର୍ମାଣ କଲେ ଗ୍ରାମବାସୀ: ବୋଡ଼େନ ବ୍ଲକର ଶିଆଳଲଟି ନାଲାରେ ସାମୂହିକ ଶ୍ରମର ଅନନ୍ୟ ଉଦାହରଣ, ସ୍ଥାୟୀ ପୋଲ ନିର୍ମାଣ ଦାବି
ଲଗାଣ ବର୍ଷା ଯୋଗୁଁ ନୂଆପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବୋଡ଼େନ ବ୍ଲକ ମଧ୍ୟ ଏହାର ପ୍ରଭାବରୁ ବାଦ ପଡ଼ିନାହିଁ। ପ୍ରବଳ ବର୍ଷା ଓ ବନ୍ୟାଜଳର ପ୍ରଖର ସ୍ରୋତ ଯୋଗୁଁ ବ୍ଲକର ବିଭିନ୍ନ ସ୍ଥାନରେ ରାସ୍ତା, ନାଲା, ପୋଲ ଓ କଲଭର୍ଟ କ୍ଷତିଗ୍ରସ୍ତ ହୋଇଥିବାରୁ ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ବିଶେଷକରି ଭାଇସାଦାନି ଗ୍ରାମପଞ୍ଚାୟତ ଅଧୀନ ଶିଆଳଲଟି ନାଲାରେ ବନ୍ୟାଜଳର ପ୍ରଚଣ୍ଡ ସ୍ରୋତ ପ୍ରାୟ ୧୦୦ ମିଟର ରାସ୍ତାକୁ ଧୋଇ ନେଇଥିବାରୁ ଉଭୟ ପାର୍ଶ୍ୱର ଗ୍ରାମଗୁଡ଼ିକର ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଥିଲା। ଦୈନନ୍ଦିନ ଯାତାୟାତ, ଛାତ୍ରଛାତ୍ରୀଙ୍କ ପାଠପଢ଼ା, ଚିକିତ୍ସା ସେବା ଓ ଜରୁରୀ କାର୍ଯ୍ୟ ପାଇଁ ଗ୍ରାମବାସୀଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ବନ୍ୟା ପରେ ପ୍ରଶାସନିକ ଅଧିକାରୀମାନେ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ଶିଆଳଲଟି ନାଲାର ସ୍ଥିତିର ଅନୁଧ୍ୟାନ କରିଥିଲେ। ରାସ୍ତାର ତୁରନ୍ତ ମରାମତି ସହ ଯାତାୟାତ ସ୍ୱାଭାବିକ କରିବାକୁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଦାବି ଉଠିଥିଲା। ତେବେ ସରକାରୀ ସହାୟତାକୁ ଅପେକ୍ଷା ନକରି ନିଜ ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀମାନେ ନିଜେ ଆଗେଇ ଆସିଥିଲେ। ଏକତା ଓ ସାମୂହିକ ଶ୍ରମର ନିଆରା ପରିଚୟ ଦେଇ ଜଙ୍ଗଲରୁ କାଠ ସଂଗ୍ରହ କରି ଶିଆଳଲଟି ନାଲା ଉପରେ ଏକ ଅସ୍ଥାୟୀ କାଠ ପୋଲ ନିର୍ମାଣ କରିଥିଲେ। ଏହା ଫଳରେ ପୁଣିଥରେ ଏହି ରାସ୍ତାରେ ଯାତାୟାତ ସ୍ୱାଭାବିକ ହୋଇପାରିଛି ଓ ହଜାର ହଜାର ଲୋକ ଉପକୃତ ହେଉଛନ୍ତି। ଗ୍ରାମବାସୀଙ୍କ ଏହି ସାମୂହିକ ପଦକ୍ଷେପ ଏବେ ସମଗ୍ର ଅଞ୍ଚଳରେ ପ୍ରଶଂସାର ବିଷୟ ପାଲଟିଛି। ବିପଦ ସମୟରେ ସରକାରୀ ସହାୟତାକୁ ଅପେକ୍ଷା ନକରି ନିଜ ଶ୍ରମ, ଏକତା ଓ ସହଯୋଗ ବଳରେ ସମସ୍ୟାର ସମାଧାନ କରିବା ସାମାଜିକ ସଚେତନତା ଓ ଆତ୍ମନିର୍ଭରଶୀଳତାର ଏକ ଉଜ୍ଜ୍ୱଳ ଉଦାହରଣ ସୃଷ୍ଟି କରିଛି। ତେବେ ନିର୍ମିତ କାଠ ପୋଲଟି ସମ୍ପୂର୍ଣ୍ଣ ଅସ୍ଥାୟୀ ହୋଇଥିବାରୁ ଆଗାମୀ ବର୍ଷା ଋତୁରେ ପୁଣି ସମାନ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଶିଆଳଲଟି ନାଲା ଉପରେ ଏକ ସ୍ଥାୟୀ ପକ୍କା ପୋଲ ନିର୍ମାଣ, କ୍ଷତିଗ୍ରସ୍ତ ରାସ୍ତାର ତୁରନ୍ତ ମରାମତି ଓ ବୋଡ଼େନ ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ସ୍ଥାୟୀ ଭିତ୍ତିଭୂମି ବିକାଶ ପାଇଁ ପ୍ରଶାସନ ଶୀଘ୍ର ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦୃଢ଼ ଦାବି କରିଛନ୍ତି।