ଚାର୍ଜିଂ ବେଳେ ମୋବାଇଲ ବିସ୍ଫୋରଣ, ଘରେ ଲାଗିଲା ନିଆଁ; ଅଳ୍ପକେ ବର୍ତ୍ତିଲେ ୫ ଜଣ ପରିବାର
Kalahandi (କଳାହାଣ୍ଡି)ରିପୋର୍ଟ: ଦେବରାଜ ବଣୁଆAugust 3, 202650 views

ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କେନ୍ଦୁପାଟି ଗ୍ରାମପଞ୍ଚାୟତର କନ୍ଧବ୍ରାହ୍ମଣୀଗୁଡ଼ା ଗ୍ରାମରେ ଏକ ଅଭାବନୀୟ ଅଘଟଣ ଘଟିଛି। ଚାର୍ଜିଂରେ ଲାଗିଥିବା ଏକ ମୋବାଇଲ ଫୋନ ବିସ୍ଫୋରଣ ହେବା ପରେ ଘରେ ନିଆଁ ଲାଗିଯାଇଥିଲା। ଏହି ଘଟଣାରେ ଘରର ବିଭିନ୍ନ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଥିବାବେଳେ ଘରେ ଥିବା ପାଞ୍ଚ ଜଣ ସଦସ୍ୟ ଅଳ୍ପକେ ପ୍ରାଣରକ୍ଷା ପାଇଛନ୍ତି।
ସୂଚନା ଅନୁଯାୟୀ, କନ୍ଧବ୍ରାହ୍ମଣୀଗୁଡ଼ା ଗ୍ରାମର ବିକ୍ରମ ଜାନୀ (୩୫) ରାତି ପ୍ରାୟ ୧୨ଟା ସମୟରେ ମୋବାଇଲ ଫୋନକୁ ଚାର୍ଜିଂରେ ଲଗାଇ ପରିବାର ସହ ଶୋଇଥିଲେ। ରାତି ପ୍ରାୟ ୩ଟା ସମୟରେ ହଠାତ୍ ମୋବାଇଲଟି ବିସ୍ଫୋରଣ ହୋଇ ଘରର ଏକ ପାର୍ଶ୍ୱରେ ନିଆଁ ଲାଗିଯାଇଥିଲା। ଧୂଆଁ ଓ ନିଆଁର ଉତ୍ତାପରେ ପରିବାର ସଦସ୍ୟଙ୍କ ନିଦ ଭାଙ୍ଗିଯିବାରୁ ସେମାନେ ତୁରନ୍ତ ଘରୁ ବାହାରକୁ ବାହାରି ଜୀବନ ବଞ୍ଚାଇଥିଲେ।
ପରେ ପଡ଼ୋଶୀମାନଙ୍କୁ ଡାକି ପାଣି ମୋଟର ସାହାଯ୍ୟରେ ବହୁ କଷ୍ଟରେ ନିଆଁକୁ ଆୟତ୍ତ କରାଯାଇଥିଲା। ଅଗ୍ନିକାଣ୍ଡରେ ଘରେ ଥିବା ଚାଉଳ, ପରିଧାନ ବସ୍ତ୍ର ସହ ବିଭିନ୍ନ ଘରୋଇ ବ୍ୟବହାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଥିବା ଜଣାପଡ଼ିଛି।
ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ (ଆର୍.ଆଇ.) ଉତ୍ତମ କୁମାର ମାଝୀ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଥିଲେ। ବର୍ଷା ଦିନକୁ ଦୃଷ୍ଟିରେ ରଖି ପୀଡ଼ିତ ପରିବାରକୁ କାର୍ଯ୍ୟାଳୟରୁ ଦରି ଓ ପାଲ ନେବାକୁ ପରାମର୍ଶ ଦେଇଥିଲେ।
ଅନ୍ୟପକ୍ଷରେ, ସ୍ଥାନୀୟ ସରପଞ୍ଚ ଚିନ୍ମୟୀ ସେଠୀ କହିଛନ୍ତି ଯେ, ପୀଡ଼ିତ ପରିବାରର ନାମ ଯଦି ଆବାସ ଯୋଜନା ତାଲିକାରେ ଥାଏ, ତେବେ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସହାୟତା ଯୋଗାଇବା ପାଇଁ ପଦକ୍ଷେପ ନିଆଯିବ।
ଏହି ଘଟଣା ପରେ ଅଞ୍ଚଳରେ ଚାର୍ଜିଂ ସମୟରେ ମୋବାଇଲ ବ୍ୟବହାର ଓ ସୁରକ୍ଷା ନେଇ ପୁଣିଥରେ ଚିନ୍ତା ପ୍ରକାଶ ପାଇଛି। ପୀଡ଼ିତ ପରିବାରକୁ ଶୀଘ୍ର ସରକାରୀ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।
