୩୦ ବର୍ଷ ସେବା ପରେ ବି ପେନସନ୍ରୁ ବଞ୍ଚିତ ସଫେଇ କର୍ମଚାରୀ; ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 2, 202658 views

ତାଳଚେର: ତାଳଚେର ପୌରପରିଷଦରେ ୩୦ ବର୍ଷରୁ ଅଧିକ ସମୟ ସଫେଇ କର୍ମଚାରୀ ଭାବେ କାର୍ଯ୍ୟ କରି ଅବସର ନେଇଥିବା ଅନେକ କର୍ମଚାରୀ ଏବେ ପେନସନ୍ ଓ ଅନ୍ୟାନ୍ୟ ଅବସରକାଳୀନ ପ୍ରାପ୍ୟରୁ ବଞ୍ଚିତ ହୋଇ ଆର୍ଥିକ ସଙ୍କଟରେ ଜୀବନ ବିତାଉଥିବା ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଗତ ତିନି ମାସ ଧରି ପେନସନ୍ ବନ୍ଦ ରହିଥିବା ବେଳେ ଅବସରର ଦୁଇ ବର୍ଷ ପରେ ମଧ୍ୟ ଗ୍ରାଚ୍ୟୁଇଟି, ପ୍ରୋଭିଡେଣ୍ଟ ଫଣ୍ଡ ଓ ଅନ୍ୟାନ୍ୟ ବକେୟା ପ୍ରାପ୍ୟ ମିଳିନାହିଁ। ସହରର ସ୍ୱଚ୍ଛତା ପାଇଁ ଜୀବନର ଦୀର୍ଘ ସମୟ ନିୟୋଜିତ କରିଥିବା ଏହି କର୍ମଚାରୀମାନେ ଅବସର ପରେ ନିଜ ହକ୍ ପାଇଁ ଦ୍ୱାର ଦ୍ୱାର ବୁଲିବାକୁ ବାଧ୍ୟ ହେଉଥିବା କହିଛନ୍ତି।
ଅଧିକାଂଶ ଅବସରପ୍ରାପ୍ତ କର୍ମଚାରୀ ବିଭିନ୍ନ ରୋଗରେ ପୀଡ଼ିତ ଥିବାରୁ ନିୟମିତ ଔଷଧ ସେବନ କରୁଛନ୍ତି। କିନ୍ତୁ ପେନସନ୍ ଓ ବକେୟା ଅର୍ଥ ନମିଳିବାରୁ ଚିକିତ୍ସା ସହ ପରିବାରର ଦୈନନ୍ଦିନ ଖର୍ଚ୍ଚ ବହନ କରିବା ମଧ୍ୟ କଷ୍ଟକର ହୋଇପଡ଼ିଛି।
ଏହି ପ୍ରସଙ୍ଗରେ ପୂର୍ବରୁ ଅନୁଗୋଳ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବାରୁ ଶେଷରେ ଅବସରପ୍ରାପ୍ତ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ତୁରନ୍ତ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି।
ଅନ୍ୟପକ୍ଷରେ, ତାଳଚେର ପୌରପରିଷଦର ନିର୍ବାହୀ ଅଧିକାରୀ କହିଛନ୍ତି ଯେ, ଆଶାନୁରୂପ କର ଆଦାୟ ନହେବାରୁ ପୌରପରିଷଦ ଆର୍ଥିକ ସଙ୍କଟରେ ରହିଛି। ଏନେଇ ସରକାରଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ନିଜସ୍ୱ ରାଜସ୍ୱରୁ ଖର୍ଚ୍ଚ ବହନ କରିବାକୁ ପରାମର୍ଶ ମିଳିଥିବା ସେ ସୂଚନା ଦେଇଛନ୍ତି।
ଏପରି ପରିସ୍ଥିତିରେ ଅବସରପ୍ରାପ୍ତ ସଫେଇ କର୍ମଚାରୀଙ୍କ ପେନସନ୍ ଓ ସମସ୍ତ ବକେୟା ପ୍ରାପ୍ୟ ଶୀଘ୍ର ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ଜୋର ଧରିଛି।
