ହାତରେ ଟର୍ଚ୍ଚ ଧରି ରାତିରେ ଜଳବନ୍ଦୀ ଅଞ୍ଚଳ ବୁଲିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବନ୍ୟା ପ୍ରଭାବିତଙ୍କ ସହ ଆଲୋଚନା, ରିଲିଫ ବଣ୍ଟନ ଓ ସହାୟତା ବ୍ୟବସ୍ଥାର କଲେ ସମୀକ୍ଷା
Bhadrak (ଭଦ୍ରକ)ଭଦ୍ରକ, (ଶିଶିର କୁମାର ସ୍ୱାଇଁ):August 1, 202649 views

ବନ୍ୟା ବିପର୍ଯ୍ୟୟରେ ପ୍ରଭାବିତ ଲୋକଙ୍କ ସମସ୍ୟାକୁ ନିକଟରୁ ବୁଝିବା ଏବଂ ସରକାରୀ ସହାୟତାର ବାସ୍ତବ ଚିତ୍ର ଅନୁଧ୍ୟାନ କରିବା ପାଇଁ ରାଜ୍ୟର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ରାତ୍ରି ସମୟରେ ଜଳବନ୍ଦୀ ଅଞ୍ଚଳ ପରିଦର୍ଶନ କରିଛନ୍ତି। ହାତରେ ଟର୍ଚ୍ଚ ଧରି ଅନ୍ଧାର ରାତିରେ ବନ୍ୟା ପାଣି ଘେରା ଅଞ୍ଚଳକୁ ଯାଇ ସେ ପ୍ରଭାବିତ ପରିବାରଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ଦୁଃଖଦୁର୍ଦ୍ଦଶା ଓ ଆବଶ୍ୟକତା ସମ୍ପର୍କରେ ଅବଗତ ହୋଇଥିଲେ।
ପରିଦର୍ଶନ ସମୟରେ ମନ୍ତ୍ରୀ ପ୍ରତ୍ୟେକ ପରିବାର ପାଖରେ ସରକାରୀ ରିଲିଫ ଓ ସହାୟତା ସଠିକ୍ ଭାବେ ପହଞ୍ଚୁଛି କି ନାହିଁ, ତାହାର ସମୀକ୍ଷା କରିଥିଲେ। ବିଶେଷକରି ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀର ବଣ୍ଟନ ବ୍ୟବସ୍ଥାକୁ ସେ ନିଜେ ଯାଞ୍ଚ କରିଥିଲେ। ଯେଉଁଠାରେ ଅଭାବ କିମ୍ବା ତ୍ରୁଟି ପରିଲକ୍ଷିତ ହୋଇଥିଲା, ସେଠାରେ ସମ୍ପୃକ୍ତ ଅଧିକାରୀଙ୍କୁ ତୁରନ୍ତ ସମାଧାନମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, ବିପଦ ସମୟରେ ସରକାରଙ୍କ ପ୍ରାଥମିକତା ହେଉଛି ପ୍ରଭାବିତ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇବା। କୌଣସି ପରିବାର ଯେପରି ରିଲିଫ ଓ ଜରୁରୀ ସେବାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ପ୍ରଶାସନ ସତର୍କତାର ସହ କାର୍ଯ୍ୟ କରୁଥିବା ସେ ପ୍ରକାଶ କରିଥିଲେ।
ମନ୍ତ୍ରୀଙ୍କ ଏହି ରାତ୍ରିକାଳୀନ ଗ୍ରାଉଣ୍ଡ ଭିଜିଟ୍କୁ ସ୍ଥାନୀୟ ଅଞ୍ଚଳବାସୀ ସ୍ୱାଗତ କରିଥିବା ବେଳେ ବିପଦ ସମୟରେ ଜନପ୍ରତିନିଧିଙ୍କ ଏଭଳି ସକ୍ରିୟ ଉପସ୍ଥିତି ପ୍ରଭାବିତ ଲୋକଙ୍କ ମନରେ ଆଶ୍ୱାସନ ଓ ବିଶ୍ୱାସ ସୃଷ୍ଟି କରିଥିବା ସେମାନେ ପ୍ରକାଶ କରିଛନ୍ତି।
