--:--:--
-- ---
Srishti News

ଗ୍ରାଉଣ୍ଡ ଜିରୋରେ ସାଂସଦ ଅଭିମନ୍ୟୁ ସେଠୀ; ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ସମୀକ୍ଷା, ବନ୍ଧ ମରାମତି ପାଇଁ ତୁରନ୍ତ ନିର୍ଦ୍ଦେଶ

Bhadrak (ଭଦ୍ରକ)ଭଦ୍ରକ, (ଶିଶିର କୁମାର ସ୍ୱାଇଁ):August 1, 202653 views
ଗ୍ରାଉଣ୍ଡ ଜିରୋରେ ସାଂସଦ ଅଭିମନ୍ୟୁ ସେଠୀ; ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ସମୀକ୍ଷା, ବନ୍ଧ ମରାମତି ପାଇଁ ତୁରନ୍ତ ନିର୍ଦ୍ଦେଶ
ଭଦ୍ରକ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଭଣ୍ଡାରିପୋଖରୀ ବିଧାନସଭା ଅଞ୍ଚଳରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିର ସ୍ଥିତି ଅନୁଧ୍ୟାନ ପାଇଁ ଶନିବାର ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ପ୍ରଭାବିତ ଅଞ୍ଚଳର ସମୀକ୍ଷା କରିଛନ୍ତି। ବନ୍ୟାରେ କ୍ଷତିଗ୍ରସ୍ତ ଗ୍ରାମଗୁଡ଼ିକ ବୁଲି ଦେଖିବା ସହ ସେ ସ୍ଥାନୀୟ ଲୋକଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଅବଗତ ହୋଇଥିଲେ। ପରିଦର୍ଶନ ସମୟରେ ସାଂସଦ ନେରଡ଼ା ଗ୍ରାମ ପଞ୍ଚାୟତର ବନସ୍ତା ଅଞ୍ଚଳରେ ସୃଷ୍ଟି ହୋଇଥିବା ବନ୍ଧ ଘାଇ ସ୍ଥଳକୁ ଯାଇ କ୍ଷୟକ୍ଷତିର ସବିଶେଷ ସମୀକ୍ଷା କରିଥିଲେ। ବନ୍ଧ ଭାଙ୍ଗିଯିବା ଫଳରେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଥିବା ସହ ଯାତାୟାତ ବ୍ୟବସ୍ଥା ବାଧାପ୍ରାପ୍ତ ହେବା, ଚାଷଜମିର କ୍ଷତି ଏବଂ ଦୈନନ୍ଦିନ ଜୀବନ ବ୍ୟାହତ ହୋଇଥିବା ନେଇ ସ୍ଥାନୀୟ ବାସିନ୍ଦାମାନେ ସାଂସଦଙ୍କ ନିକଟରେ ଅଭିଯୋଗ କରିଥିଲେ। ପରିସ୍ଥିତିର ଗୁରୁତ୍ୱକୁ ଅନୁଭବ କରି ସାଂସଦ ଅଭିମନ୍ୟୁ ସେଠୀ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ବନ୍ଧ ମରାମତି କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା, ଆବଶ୍ୟକ ଯନ୍ତ୍ରପାତି ଓ ମାନବ ସମ୍ବଳ ନିୟୋଜିତ କରିବା ସହ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ରୋକିବା ପାଇଁ ସ୍ଥାୟୀ ସମାଧାନ ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ବନ୍ୟା ପ୍ରଭାବିତ ପରିବାରମାନଙ୍କୁ ସରକାରୀ ସହାୟତା, ରିଲିଫ ସାମଗ୍ରୀ, ବିଶୁଦ୍ଧ ପାନୀୟ ଜଳ, ସ୍ୱାସ୍ଥ୍ୟସେବା ଓ ଅନ୍ୟାନ୍ୟ ଜରୁରୀ ସୁବିଧା ଶୀଘ୍ର ପହଞ୍ଚାଇବାକୁ ପ୍ରଶାସନକୁ ସେ ତତ୍ପର ରହିବାକୁ କହିଥିଲେ। ସାଂସଦଙ୍କ ଏହି ଗ୍ରାଉଣ୍ଡ ଜିରୋ ପରିଦର୍ଶନ ଓ ତ୍ୱରିତ ପଦକ୍ଷେପକୁ ସ୍ଥାନୀୟ ଲୋକମାନେ ସ୍ୱାଗତ କରିଥିବା ବେଳେ ବନ୍ୟା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସରକାର ଆହୁରି ଦୃଢ଼ ଓ ଦୀର୍ଘମିଆଦି ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି।