ଅନୁଗୋଳ ଜିଲ୍ଲା ଯୋଜନା କମିଟି ନିର୍ବାଚନରେ ବିଜେଡିର ବଡ଼ ସଫଳତା, ୧୪ରୁ ୧୦ ଆସନରେ ବିଜୟ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 1, 202695 views

ଅନୁଗୋଳ: ଅନୁଗୋଳ ଜିଲ୍ଲା ଯୋଜନା କମିଟି ନିର୍ବାଚନରେ ବିଜୁ ଜନତା ଦଳ (ବିଜେଡି) ୧୪ଟି ଆସନ ମଧ୍ୟରୁ ୧୦ଟି ଆସନରେ ବିପୁଳ ବିଜୟ ହାସଲ କରିଛି। ବିଜୟୀ ପ୍ରାର୍ଥୀମାନେ ହେଲେ ଶ୍ରୀମତୀ ବବିତା ପ୍ରଧାନ, ଶ୍ରୀମତୀ ରଶ୍ମିତା ସେଠୀ, ଶ୍ରୀ ପ୍ରଦୀପ କୁମାର ସାହୁ, ସୁଶ୍ରୀ ରୀତା ରାଣୀ ଦାସ, ଶ୍ରୀ ରଞ୍ଜନ କୁମାର ସାହୁ, ଶ୍ରୀମତୀ ସତ୍ୟଭାମା ସାହୁ, ଶ୍ରୀ ନଗେନ୍ଦ୍ର କୁମାର ପ୍ରଧାନ, ଶ୍ରୀମତୀ ସୁଶୀଳା ନାୟକ, ଶ୍ରୀମତୀ ଅନୁପମା ସାହୁ ଏବଂ ଶ୍ରୀମତୀ ସାବିତ୍ରୀ ମାଝୀ।
ଏହି ଅବସରରେ ଅନୁଗୋଳ ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ ବିଜୟୀ ସମସ୍ତ ପ୍ରାର୍ଥୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେଇଥିବା ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ଓ ସଭ୍ୟାମାନଙ୍କୁ ଧନ୍ୟବାଦ ଜଣାଇଥିଲେ।
ଶ୍ରୀ ପ୍ରଧାନ କହିଥିଲେ ଯେ, ଏହି ବୃହତ୍ ବିଜୟ ବିଜୁ ଜନତା ଦଳର ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତିଫଳନ। ସେ ଏହି ବିଜୟ ପାଇଁ ଶ୍ରୀ ପଟ୍ଟନାୟକଙ୍କ ପ୍ରତି ଗଭୀର କୃତଜ୍ଞତା ଜ୍ଞାପନ କରିଥିଲେ।
ସେହିପରି ଏହି ନିର୍ବାଚନରେ ମାର୍ଗଦର୍ଶନ ଓ ସହଯୋଗ କରିଥିବା ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନ, ପୂର୍ବତନ ବିଧାୟକ ତଥା ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂହ, ପୂର୍ବତନ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ପୂର୍ବତନ ପାଳଲହଡ଼ା ବିଧାୟକ ମୁକେଶ ପାଲ ଏବଂ ବିଜେଡିର ବରିଷ୍ଠ ନେତା ବିପ୍ଳବ ଜେନାଙ୍କୁ ମଧ୍ୟ ସେ ଅଶେଷ ଧନ୍ୟବାଦ ଜଣାଇଥିଲେ।
