ଅନୁଗୋଳ ଗସ୍ତରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ, ବିଭିନ୍ନ ପ୍ରକଳ୍ପର କଲେ ସମୀକ୍ଷା
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 1, 202682 views

ଅନୁଗୋଳ: ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଏନ୍.ବି.ଏସ୍. ରାଜପୁତ ଅନୁଗୋଳ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଓ ସରକାରୀ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।
ଗସ୍ତ ଅବସରରେ ସେ ପ୍ରଥମେ ଅନୁଗୋଳ ନୂତନ ବସ୍ଷ୍ଟାଣ୍ଡ ପରିଦର୍ଶନ କରି ସେଠାକାର ଯାତ୍ରୀସେବା, ଗମନାଗମନ ବ୍ୟବସ୍ଥା ଓ ଭିତ୍ତିଭୂମିର ଅନୁଧ୍ୟାନ କରିଥିଲେ। ପରେ ବଡ଼କେରାସ୍ଥିତ ପିଏମ୍ ଶ୍ରୀ ଶ୍ରୀଜଗନ୍ନାଥ ହାଇସ୍କୁଲ ଗସ୍ତ କରି ବିଦ୍ୟାଳୟର ଭିତ୍ତିଭୂମି ଓ ଶିକ୍ଷା ପରିବେଶର ସମୀକ୍ଷା କରିଥିଲେ।
ଏହାପରେ ତୁବେ ଗ୍ରାମରେ ପାରମ୍ପରିକ ଡୋକ୍ରା ଆର୍ଟ କାରିଗରମାନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ସମ୍ଭାବନା ସମ୍ପର୍କରେ ଅବଗତ ହୋଇଥିଲେ। ସେହିପରି ଅନ୍ତ୍ୟୋଦୟ ଗୃହ ଯୋଜନାର ହିତାଧିକାରୀଙ୍କ ସହ ମଧ୍ୟ ମତବିନିମୟ କରି ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ତଥ୍ୟ ନେଇଥିଲେ।
ପରବର୍ତ୍ତୀ ସମୟରେ ସେ ଅନୁଗୋଳ ଆର୍ଟିଓ ଅଧୀନ ରନ୍ତଲେଇସ୍ଥିତ ସ୍ୱୟଂଚାଳିତ ଯାନ ପରୀକ୍ଷଣ କେନ୍ଦ୍ର (ATS) ପରିଦର୍ଶନ କରି ସେଠାର କାର୍ଯ୍ୟପ୍ରଣାଳୀ ସମୀକ୍ଷା କରିଥିଲେ।
ଅପରାହ୍ନରେ ସ୍ଥାନୀୟ ସର୍କିଟ ହାଉସ୍ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇ ବିଭିନ୍ନ ବିଭାଗର ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ସହ ସମ୍ପୃକ୍ତ ଅଧିକାରୀମାନଙ୍କୁ ଆବଶ୍ୟକ ପରାମର୍ଶ ଓ ନିର୍ଦ୍ଦେଶ ପ୍ରଦାନ କରିଥିଲେ।
