ଲାଞ୍ଜି ମହାବିଦ୍ୟାଳୟରେ ଯୁକ୍ତ–୨ର ଶୁଭ ଉଦ୍ଘାଟନ ନୂତନ ଛାତ୍ରଛାତ୍ରୀଙ୍କୁ ଫୁଲ ଓ ଚନ୍ଦନରେ ସ୍ୱାଗତ; ଶିକ୍ଷା ହିଁ ଉଜ୍ଜ୍ୱଳ ଭବିଷ୍ୟତର ଚାବିକାଠି ବୋଲି କହିଲେ ବିଧାୟକ ଅଧୀରାଜ ପାଣିଗ୍ରାହୀ
Nuapada (ନୂଆପଡ଼ା)ଭଜନ ଲାଲ ଜଗତ: ଖଡ଼ିଆଳAugust 1, 202688 views

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଲାଞ୍ଜି ମହାବିଦ୍ୟାଳୟରେ ଯୁକ୍ତ–୨ ଶ୍ରେଣୀର ଶୁଭ ଉଦ୍ଘାଟନ ଅବସରରେ ଏକ ଗମ୍ଭୀର ଓ ଆଡ଼ମ୍ବରପୂର୍ଣ୍ଣ ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ନୂତନ ଭାବେ ନାମଲେଖାଇ ଆସିଥିବା ଛାତ୍ରଛାତ୍ରୀମାନଙ୍କୁ ଫୁଲ, ଚନ୍ଦନ ଓ ଉତ୍ତରୀୟ ପ୍ରଦାନ କରି ସ୍ନେହପୂର୍ଣ୍ଣ ସ୍ୱାଗତ କରାଯାଇଥିଲା। ଶିକ୍ଷା ପ୍ରତି ଆଗ୍ରହ, ଶୃଙ୍ଖଳା ଓ ନୈତିକ ମୂଲ୍ୟବୋଧ ସହ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦିଆଯାଇଥିଲା ।
ଏହି ଉଦ୍ଘାଟନୀ ସମାରୋହରେ ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁକ୍ତ–୨ କଲେଜର ଔପଚାରିକ ଶୁଭ ଉଦ୍ଘାଟନ କରିଥିଲେ । ନିଜ ବକ୍ତବ୍ୟରେ ସେ କହିଥିଲେ ଯେ, ଗ୍ରାମାଞ୍ଚଳର ଶିକ୍ଷାର ବିକାଶ ହିଁ ଅଞ୍ଚଳର ସର୍ବାଙ୍ଗୀଣ ଉନ୍ନତିର ମୂଳ ଆଧାର। ଶିକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜର ପ୍ରତିଭାକୁ ବିକଶିତ କରି ସମାଜ ଓ ରାଜ୍ୟ ପାଇଁ ଆଦର୍ଶ ନାଗରିକ ହୋଇପାରିବେ ବୋଲି ସେ ପ୍ରକାଶ କରିଥିଲେ ।
ସମ୍ମାନିତ ଅତିଥି ଭାବେ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପୁଷ୍ପାଞ୍ଜଳି ନନ୍ଦ, ସ୍ଥାନୀୟ ସମାଜସେବୀ ଅକ୍ଷୟ ନନ୍ଦ, ବିଦ୍ୟାଳୟ ପରିଚାଳନା କମିଟି (SMC)ର ଅଧ୍ୟକ୍ଷ ଜଗବନ୍ଧୁ ନାଏକ, ଲାଞ୍ଜି ଯୁକ୍ତ–୨ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରୟାସ ରଞ୍ଜନ ବାରିକ ଏବଂ ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ମମତା ପାଢ଼ୀ ମଞ୍ଚାସୀନ ରହି ଛାତ୍ରଛାତ୍ରୀଙ୍କୁ ପ୍ରେରଣାଦାୟକ ଅଭିଭାଷଣ ପ୍ରଦାନ କରିଥିଲେ ।
ଅତିଥିମାନେ ନିଜ ଅଭିଭାଷଣରେ କହିଥିଲେ ଯେ, ଉଚ୍ଚଶିକ୍ଷା କେବଳ ଡିଗ୍ରୀ ହାସଲ କରିବାର ମାଧ୍ୟମ ନୁହେଁ, ବରଂ ଜୀବନରେ ସଫଳତା, ନେତୃତ୍ୱ ଓ ଉତ୍ତମ ଚରିତ୍ର ଗଠନର ମୂଳ ଭିତ୍ତି । ଛାତ୍ରଛାତ୍ରୀମାନେ ଅଧ୍ୟବସାୟ, ଶୃଙ୍ଖଳା ଓ କଠିନ ପରିଶ୍ରମକୁ ଆପଣାଇ ନିଜ ଭବିଷ୍ୟତକୁ ସୁଦୃଢ଼ କରିବା ସହ ପରିବାର, ସମାଜ ଓ ଦେଶ ପାଇଁ ଗୌରବ ଆଣିବାକୁ ଆହ୍ୱାନ ଦିଆଯାଇଥିଲା ।
କାର୍ଯ୍ୟକ୍ରମକୁ ଶିକ୍ଷକ ଭାଗିରଥି ବିଶି ସୁନ୍ଦର ଭାବେ ପରିଚାଳନା କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଏବଂ ବିଭିନ୍ନ ଅଞ୍ଚଳରୁ ଆସିଥିବା ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।
ନୂତନ ଶିକ୍ଷାବର୍ଷର ଏହି ଶୁଭାରମ୍ଭ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଓ ଆତ୍ମବିଶ୍ୱାସ ପରିଲକ୍ଷିତ ହୋଇଥିବା ବେଳେ, ଲାଞ୍ଜି ମହାବିଦ୍ୟାଳୟ ଅଞ୍ଚଳରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ଦିଗରେ ଆହୁରି ଏକ ସଫଳ ପଦକ୍ଷେପ ନେଇଥିବା ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ ।

