ଟେମରା ଠାରେ ଆଷାଢ଼କେନା ମଣ୍ଡେଇ ଯାତ୍ରା
Kalahandi (କଳାହାଣ୍ଡି)ରିତେଶ କୁମାର ମୁଣ୍ଡAugust 1, 202654 views

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ଦେବୀ ବସ୍ତେରେନ ମାଉଳିଙ୍କ ବାର୍ଷିକ ଆଷାଢ଼କେନା ମଣ୍ଡେଇ ଯାତ୍ରା। ପାରମ୍ପରିକ ବାଦ୍ୟବାଜଣା, ଦେବୀଙ୍କ ଲାଠି ଓ କାଳସୀ ସହ ଭବ୍ୟ ଶୋଭାଯାତ୍ରା କରାଯାଇଥିବାବେଳେ ଚଳିତ ବର୍ଷ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା। ମଣ୍ଡେଇ ଯାତ୍ରା ପରେ ଅଞ୍ଚଳର ଚାଷୀମାନେ ଧାନ ରୁଆ ଓ ବିହୁଡ଼ା କାର୍ଯ୍ୟ ଆରମ୍ଭ କରୁଥିବାରୁ ଏହି ଯାତ୍ରାର ସ୍ୱତନ୍ତ୍ର ମହତ୍ତ୍ୱ ରହିଛି।
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଟେମରା ଗ୍ରାମ। ଏହି ଗ୍ରାମରେ ପାରମ୍ପରିକ ରୀତିନୀତି ଓ ଭକ୍ତିମୟ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି ଦେବୀ ବସ୍ତେରେନ ମାଉଳିଙ୍କ ବାର୍ଷିକ ଆଷାଢ଼କେନା ମଣ୍ଡେଇ ଯାତ୍ରା।
ଚଳିତ ବର୍ଷ ଏହି ପାରମ୍ପରିକ ଯାତ୍ରା ଦେଖିବା ଓ ଦେବୀଙ୍କ ଦର୍ଶନ ପାଇଁ ଟେମରା ସମେତ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଭକ୍ତ ଓ ଦର୍ଶକଙ୍କ ସମାଗମ ହୋଇଥିଲା।
ପ୍ରତିବର୍ଷ ବାହୁଡ଼ା ଯାତ୍ରା ପରେ ପଡୁଥିବା ଶୁକ୍ରବାର ଦିନ ଏହି ଆଷାଢ଼କେନା ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଆସୁଛି।
ସକାଳୁ ଗଣ୍ଟିଆ ଚୁମନ ପାତ୍ର ଓ ପୂଜକ ଚିତ୍ତସେନ ମାଝୀଙ୍କ ଘରୁ ପୂଜା ସାମଗ୍ରୀ, ଦେବୀଙ୍କ ପବିତ୍ର ଲାଠି ଓ କାଳସୀକୁ ପାରମ୍ପରିକ ବାଦ୍ୟବାଜଣା ସହ ଏକ ଭବ୍ୟ ଶୋଭାଯାତ୍ରାରେ ଦେବୀ ପୀଠକୁ ଅଣାଯାଇଥିଲା।
ବାଜାର ତାଳେ ତାଳେ ଶ୍ରଦ୍ଧାଳୁମାନେ ଶୋଭାଯାତ୍ରାରେ ସାମିଲ ହୋଇଥିବାବେଳେ ସମଗ୍ର ଅଞ୍ଚଳ ଭକ୍ତିମୟ ପରିବେଶରେ ମୁଖରିତ ହୋଇଉଠିଥିଲା।
ଏହି ମଣ୍ଡେଇ ଯାତ୍ରା ଅଞ୍ଚଳର ଏକ ପ୍ରାଚୀନ ପରମ୍ପରା। ପ୍ରତିବର୍ଷ ବାହୁଡ଼ା ଯାତ୍ରା ପରେ ପଡୁଥିବା ଶୁକ୍ରବାର ଦିନ ଦେବୀଙ୍କ ପୂଜାର୍ଚ୍ଚନା ଓ ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଦେବୀଙ୍କ କୃପାରେ ଅଞ୍ଚଳର ସୁଖ, ଶାନ୍ତି ଓ ଭଲ ଫସଲ କାମନା କରାଯାଏ।”
ଦେବୀ ପୀଠରେ ପହଞ୍ଚିବା ପରେ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ପୂଜା ସମାପ୍ତ ହେବା ପରେ ଦେବୀମାନଙ୍କ ମଣ୍ଡେଇ ହାଟ ପରିକ୍ରମା ଆରମ୍ଭ ହୋଇଥିଲା।
ଦେବୀଙ୍କ ଲାଠି, କାଳସୀ ଓ ପାରମ୍ପରିକ ବାଦ୍ୟବାଜଣା ସହ ଅନୁଷ୍ଠିତ ଏହି ପରିକ୍ରମା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା।
ଏହି ମଣ୍ଡେଇ ଯାତ୍ରା କେବଳ ଧାର୍ମିକ ଆସ୍ଥାର ପ୍ରତୀକ ନୁହେଁ, ବରଂ ଅଞ୍ଚଳର କୃଷି ପରମ୍ପରା ସହ ମଧ୍ୟ ନିବିଡ଼ ଭାବେ ଜଡ଼ିତ।
ଲୋକପରମ୍ପରା ଅନୁସାରେ ମଣ୍ଡେଇ ଯାତ୍ରା ସମାପ୍ତ ହେବା ପରେ ଅଞ୍ଚଳର ଚାଷୀମାନେ ଧାନ ରୁଆ ଓ ବିହୁଡ଼ା କାର୍ଯ୍ୟ ଆରମ୍ଭ କରିଥାନ୍ତି। ଦେବୀଙ୍କ ଆଶୀର୍ବାଦରେ ଭଲ ବର୍ଷା ଓ ଭଲ ଫସଲ ହେବ ବୋଲି ଚାଷୀମାନେ ବିଶ୍ୱାସ କରିଥାନ୍ତି।
