--:--:--
-- ---
Srishti News

ବନ୍ୟା ପ୍ରଭାବିତ ଅଞ୍ଚଳରେ ଜିଲ୍ଲାପାଳଙ୍କ ପରିଦର୍ଶନ: ପ୍ରଭାବିତଙ୍କ ସହ ଆଲୋଚନା, ସତୀଘାଟରେ ଓଭରବ୍ରିଜ୍ ଓ ଗାର୍ଡ ୱାଲ୍ ନିର୍ମାଣ ଦାବି ଜୋରଦାର

Nuapada (ନୂଆପଡ଼ା)ରିପୋର୍ଟ : କଶ୍ୟପ ଜଗତAugust 1, 2026154 views
ବନ୍ୟା ପ୍ରଭାବିତ ଅଞ୍ଚଳରେ ଜିଲ୍ଲାପାଳଙ୍କ ପରିଦର୍ଶନ: ପ୍ରଭାବିତଙ୍କ ସହ ଆଲୋଚନା, ସତୀଘାଟରେ ଓଭରବ୍ରିଜ୍ ଓ ଗାର୍ଡ ୱାଲ୍ ନିର୍ମାଣ ଦାବି ଜୋରଦାର
ବୋଡେନ: ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିରେ ପ୍ରଭାବିତ ନୂଆପଡ଼ା ଜିଲ୍ଲାର ବୋଡେନ ବ୍ଲକ ଅନ୍ତର୍ଗତ କର୍ଲାକୋଟ ଗ୍ରାମପଞ୍ଚାୟତର ବିଭିନ୍ନ ବନ୍ୟାକ୍ଷତିଗ୍ରସ୍ତ ଅଞ୍ଚଳକୁ ଜିଲ୍ଲାପାଳ ଶ୍ରୀ ମଧୁସୂଦନ ଦାଶ ଶନିବାର ପରିଦର୍ଶନ କରି ପରିସ୍ଥିତିର ସମୀକ୍ଷା କରିଥିଲେ। ଏହି ଅବସରରେ ସେ ପ୍ରଭାବିତ ପରିବାରର ସଦସ୍ୟମାନଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଅବଗତ ହୋଇଥିଲେ। ଜିଲ୍ଲାପାଳ ପ୍ରଭାବିତ ଲୋକଙ୍କୁ ସରକାରୀ ସହାୟତା ଯଥାଶୀଘ୍ର ପହଞ୍ଚାଇବା ସହ କ୍ଷୟକ୍ଷତିର ସଠିକ୍ ଆକଳନ କରି ଆବଶ୍ୟକ ପଦକ୍ଷେପ ନେବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ। ବନ୍ୟା ସମୟରେ ଲୋକଙ୍କ ଜୀବନ ଓ ଜୀବିକାର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପ୍ରଶାସନ କାର୍ଯ୍ୟ କରୁଥିବା ସେ କହିଥିଲେ। ପରିଦର୍ଶନ ସମୟରେ ଦରଗାଁ ଗ୍ରାମର କୋଦୋମୁଣ୍ଡା ଓ ଜଙ୍ଘାମୁଣ୍ଡା ସମେତ ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନେ ଜିଲ୍ଲାପାଳଙ୍କ ନିକଟରେ ବହୁଦିନର ଦାବି ଉପସ୍ଥାପନ କରିଥିଲେ। ବିଶେଷକରି ଦରଗାଁ ସତୀଘାଟରେ ଏକ ସ୍ଥାୟୀ ଓଭରବ୍ରିଜ୍ ନିର୍ମାଣ କରାଯିବା ସହ ନଦୀକୂଳରେ ଗାର୍ଡ ୱାଲ୍ ନିର୍ମାଣ କରାଗଲେ ବନ୍ୟା ସମୟରେ ଜନଜୀବନ ଓ ଚାଷଜମିର କ୍ଷୟକ୍ଷତି ହ୍ରାସ ପାଇବ ବୋଲି ସେମାନେ ଦାବି କରିଥିଲେ। ଜିଲ୍ଲାପାଳ ସମସ୍ତ ଦାବିକୁ ଗୁରୁତ୍ୱର ସହ ଶୁଣି ସମ୍ଭାବ୍ୟ ପଦକ୍ଷେପ ପାଇଁ ବିଚାର କରାଯିବ ବୋଲି ଆଶ୍ୱାସନ ଦେଇଥିଲେ। ଏହି ପରିଦର୍ଶନ ସମୟରେ ବୋଡେନ ବ୍ଲକ ବିଡିଓ ଚିନ୍ମୟ ସାଗର, ତହସିଲଦାର ସରିତା ଗୁପ୍ତା, ଆର୍‍.ଏସ୍‍. ତହସିଲ ବୋଡେନର ଦିଲୀପ କୁମାର ମାଝୀ, କର୍ଲାକୋଟ ରେଭେନ୍ୟୁ ଇନ୍ସପେକ୍ଟର ବୀରେନ୍ଦ୍ର କୁମାର ମେହେର, କର୍ଲାକୋଟ ସରପଞ୍ଚ ମଙ୍ଗଳ ସିଂ ଦଳଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ବହୁ ସଂଖ୍ୟକ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ। ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ପ୍ରଭାବିତ ଅଞ୍ଚଳର ଲୋକଙ୍କ ମଧ୍ୟରେ ପ୍ରଶାସନ ପ୍ରତି ଆଶା ଓ ବିଶ୍ୱାସକୁ ଆହୁରି ଦୃଢ଼ କରିଥିବା ଦେଖାଯାଇଛି।