ପୁରୀ–ପାତାଳଗଙ୍ଗା ସରକାରୀ ବସ୍ ସେବା ଆରମ୍ଭ ପାଇଁ ଦାବି ପରିବହନ ମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ବରିଷ୍ଠ ବିଜେପି ନେତା ଲମ୍ବୋଦର ନିଆଲ
Nuapada (ନୂଆପଡ଼ା)ରିପୋର୍ଟ: ଭଜନ ଲାଲ ଜଗତAugust 1, 202622 views

ଖଡ଼ିଆଳ: ପୁରୀରୁ ପାତାଳଗଙ୍ଗା ପର୍ଯ୍ୟନ୍ତ ସିଧାସଳଖ ସରକାରୀ ବସ୍ ସେବା ଆରମ୍ଭ କରିବା ଦାବିରେ ନୂଆପଡ଼ା ଜିଲ୍ଲାର ବରିଷ୍ଠ ବିଜେପି ନେତା ଲମ୍ବୋଦର ନିଆଲ ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ, ପୁରୀ–ପାତାଳଗଙ୍ଗା ସରକାରୀ ବସ୍ ସେବା ଆରମ୍ଭ ହେଲେ ନୂଆପଡ଼ା ଜିଲ୍ଲା ସମେତ ସମଗ୍ର ପଶ୍ଚିମ ଓଡ଼ିଶାର ହଜାର ହଜାର ଯାତ୍ରୀ, ଶ୍ରମିକ, ଛାତ୍ରଛାତ୍ରୀ ଓ ବ୍ୟବସାୟୀମାନେ ଉପକୃତ ହେବେ। ବିଶେଷକରି ଶ୍ରୀକ୍ଷେତ୍ର ପୁରୀକୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଯାଉଥିବା ଭକ୍ତମାନଙ୍କ ପାଇଁ ଏହି ବସ୍ ସେବା ବେଶ୍ ସୁବିଧାଜନକ ସାବ୍ୟସ୍ତ ହେବ।
ଏହାଛଡ଼ା ପଶ୍ଚିମ ଓଡ଼ିଶା ଓ ଉପକୂଳ ଓଡ଼ିଶା ମଧ୍ୟରେ ଯାତାୟାତକୁ ଅଧିକ ସୁଗମ କରିବା ସହ ଲୋକଙ୍କ ସମୟ ଓ ଖର୍ଚ୍ଚ ସଞ୍ଚୟରେ ମଧ୍ୟ ଏହି ବସ୍ ସେବା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ବୋଲି ସ୍ମାରକପତ୍ରରେ ଦର୍ଶାଯାଇଛି।
ଦାବିପତ୍ର ଗ୍ରହଣ କରିବା ପରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ପ୍ରସ୍ତାବଟିକୁ ସକାରାତ୍ମକ ଦୃଷ୍ଟିକୋଣରୁ ବିଚାର କରି ଆବଶ୍ୟକ ପଦକ୍ଷେପ ନେବାକୁ ଆଶ୍ୱାସନ ଦେଇଥିବା ଜଣାପଡ଼ିଛି।
ଏହି ବସ୍ ସେବା ଆରମ୍ଭ ହେଲେ ନୂଆପଡ଼ା ଜିଲ୍ଲା ସମେତ ପଶ୍ଚିମ ଓଡ଼ିଶାର ଲୋକଙ୍କ ଦୀର୍ଘଦିନର ଦାବି ପୂରଣ ହେବା ସହ ଯାତାୟାତ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି।
