ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚି ଶୁଖିଲା ଓ ରନ୍ଧା ଖାଦ୍ୟ ବଣ୍ଟନ କଲେ ସରପଞ୍ଚ ପ୍ରିତ୍ତମ ଦାସ
Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁAugust 1, 202686 views

ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଅନେକ ଗ୍ରାମର ଜନଜୀବନକୁ ବିପର୍ଯ୍ୟସ୍ତ କରିଦେଇଛି। ବିଶେଷକରି ଧାମନଗର ବ୍ଲକ ଅଧୀନ ରାଧାବଲ୍ଲଭପୁର ପଞ୍ଚାୟତର ସୋଳଗାଁ ସମେତ ବିଭିନ୍ନ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିବାରୁ ଲୋକମାନେ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏପରି ଦୁର୍ଦ୍ଦିନରେ ରାଧାବଲ୍ଲଭପୁର ପଞ୍ଚାୟତର ସରପଞ୍ଚ ପ୍ରିତ୍ତମ ଦାସ ନିଜ ଟିମ୍ ସହ ବନ୍ୟା ବିପନ୍ନଙ୍କ ସେବାରେ ଆଗକୁ ଆସିଛନ୍ତି।
ସରପଞ୍ଚ ପ୍ରିତ୍ତମ ଦାସଙ୍କ ନେତୃତ୍ୱରେ ସୋଳଗାଁର ବନ୍ୟା ପ୍ରଭାବିତ ପରିବାରମାନଙ୍କ ନିକଟରେ ପହଞ୍ଚି ଶୁଖିଲା ଖାଦ୍ୟ ସହ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା। ବନ୍ୟା ଜଳ ଘେରରେ ରହିଥିବା ପରିବାରମାନଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇବା ସହ ସେମାନଙ୍କର ଦୈନନ୍ଦିନ ସମସ୍ୟା ବିଷୟରେ ପଚାରି ବୁଝିଥିଲେ। ଲୋକମାନଙ୍କ ଦୁଃଖଦୁର୍ଦ୍ଦଶା ଦେଖି ସେମାନଙ୍କୁ ସାହସ ଓ ଆଶ୍ୱାସନା ଦେଇଥିଲେ ଯେ, ପ୍ରଶାସନ ଏବଂ ପଞ୍ଚାୟତ ପକ୍ଷରୁ ସମ୍ଭବ ସମସ୍ତ ସହଯୋଗ ଯୋଗାଇ ଦିଆଯିବ।
ଏହି ଅବସରରେ ବନ୍ୟା ଯୋଗୁଁ ଯେଉଁ ପରିବାରମାନଙ୍କର ବାସଗୃହ ଓ ଗୋରୁ ଗୁହାଳ ଭାଙ୍ଗିଯାଇଛି, ସେମାନଙ୍କ ସହ ସରପଞ୍ଚ ସିଧାସଳଖ ଆଲୋଚନା କରି କ୍ଷୟକ୍ଷତିର ସ୍ଥିତି ସମ୍ପର୍କରେ ଅବଗତ ହୋଇଥିଲେ। ସରକାରୀ ନିୟମ ଅନୁଯାୟୀ ସେମାନଙ୍କୁ ସହାୟତା ଯୋଗାଇବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଏହା ସହ ବନ୍ୟା ପରିସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ପଞ୍ଚାୟତ ପକ୍ଷରୁ ରିଲିଫ ଓ ଆବଶ୍ୟକୀୟ ସହଯୋଗ ଜାରି ରହିବ ବୋଲି କହିଥିଲେ।
ସ୍ଥାନୀୟ ଲୋକମାନେ ସରପଞ୍ଚଙ୍କ ଏହି ମାନବିକ ପଦକ୍ଷେପକୁ ପ୍ରଶଂସା କରିବା ସହ ବିପଦ ସମୟରେ ସେ ନିଜେ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଯାଇ ଲୋକଙ୍କ ସମସ୍ୟା ବୁଝିବା ଓ ସହାୟତା ପହଞ୍ଚାଇବାକୁ ସ୍ୱାଗତ କରିଛନ୍ତି। ବିପଦ ସମୟରେ ଜନପ୍ରତିନିଧିଙ୍କ ଏଭଳି ସକ୍ରିୟ ଭୂମିକା ସାଧାରଣ ଲୋକଙ୍କ ମନରେ ଆଶା ଓ ଭରସା ସୃଷ୍ଟି କରିଥିବା ମତ ପ୍ରକାଶ ପାଇଛି।
