--:--:--
-- ---
Srishti News

​ଡୁମୁଡୁମାରେ ଆଡ଼ମ୍ବରରେ ସମ୍ପନ୍ନ ହେଲା ଶ୍ରୀଗୁଣ୍ଡିଚା ଯାତ୍ରା: ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ରଥାରୂଢ଼ ହେଲେ ତିନି ଠାକୁର

Bhubaneswar (ଭୁବନେଶ୍ୱର)ବ୍ୟୁରୋ ରିପୋର୍ଟ, ଭୁବନେଶ୍ୱରJuly 16, 2026133 views
​ଡୁମୁଡୁମାରେ ଆଡ଼ମ୍ବରରେ ସମ୍ପନ୍ନ ହେଲା ଶ୍ରୀଗୁଣ୍ଡିଚା ଯାତ୍ରା: ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ରଥାରୂଢ଼ ହେଲେ ତିନି ଠାକୁର
​ଭୁବନେଶ୍ୱର (ବ୍ୟୁରୋ): ବିଶ୍ୱପ୍ରସିଦ୍ଧ ପବିତ୍ର ରଥଯାତ୍ରା ଅବସରରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କ ଘୋଷଯାତ୍ରା ପାଳିତ ହେଉଥିବା ବେଳେ ଭୁବନେଶ୍ୱର ଡୁମୁଡୁମା ଅଞ୍ଚଳରେ ଏହା ମହା ଆଡ଼ମ୍ବରରେ ସମ୍ପନ୍ନ ହୋଇଯାଇଛି। ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିରଠାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ସମସ୍ତ ପାରମ୍ପାରିକ ରୀତିନୀତି ଅନୁଷ୍ଠିତ ହୋଇଛି। ​ଭକ୍ତିମୟ ପରିବେଶରେ ଯଥା ବିଧି ଓ ଶାସ୍ତ୍ରୀୟ ନିୟମ ଅନୁସାରେ ପ୍ରଭୁ ବଳଭଦ୍ର, ଜଗନ୍ନାଥ ଏବଂ ମାଆ ସୁଭଦ୍ରାଙ୍କୁ ମନ୍ଦିର ଗର୍ଭଗୃହରୁ ରଥଖଳାକୁ ଅଣାଯାଇଥିଲା। ଭକ୍ତଙ୍କ ହରିବୋଲ ଓ ହୁଳହୁଳି ଶବ୍ଦ ମଧ୍ୟରେ ଠାକୁରମାନଙ୍କୁ ସୁସଜ୍ଜିତ ରଥ ଉପରକୁ ପହଣ୍ଡି ବିଜେ କରାଯାଇ ରଥାରୂଢ଼ କରାଯାଇଥିଲା। ଘଣ୍ଟ, ତାଳ, ମୃଦଙ୍ଗର ପାରମ୍ପାରିକ ଶବ୍ଦ ଏବଂ ବିଭିନ୍ନ ପାରମ୍ପାରିକ ନୃତ୍ୟ କଳାକାରଙ୍କ ପ୍ରଦର୍ଶନ ମଧ୍ୟରେ ଶ୍ରୀଜୀଉଙ୍କ ରଥଟଣା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଭକ୍ତମାନେ ଶ୍ରଦ୍ଧା ଓ ଆନନ୍ଦର ସହିତ ରଥଟାଣି ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ଭବ୍ୟ ରଥଯାତ୍ରା ଉତ୍ସବକୁ ସୁଚାରୁରୂପେ ପରିଚାଳନା କରିଥିଲେ ମନ୍ଦିର ଏବଂ ଟ୍ରଷ୍ଟ କମିଟିର କର୍ମକର୍ତ୍ତାଗଣ। ଡୁମୁଡୁମା ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ସଭାପତି ଶ୍ରୀଯୁକ୍ତ ନରୋତ୍ତମ ବେହେରା, ସମ୍ପାଦକ ବଳରାମ ସ୍ୱାଇଁ ଏବଂ ଶ୍ରୀ ଗୁଣ୍ଡିଚା ମନ୍ଦିର ସଭାପତି ବେଣୁଧର ପାତ୍ର, ସମ୍ପାଦକ ଗଦାଧର ପାତ୍ରଙ୍କ ସମେତ ମନ୍ଦିର ପରିଚାଳନା କମିଟିର ଅନେକ ସଦସ୍ୟ ଓ ସଦସ୍ୟା ଯାତ୍ରା ପରିଚାଳନାରେ ସକ୍ରିୟ ଯୋଗଦାନ କରିଥିଲେ। ସେମାନଙ୍କର ଶୃଙ୍ଖଳିତ ଏବଂ ସଫଳ ଆୟୋଜନ ଯୋଗୁଁ ସମଗ୍ର ଅଞ୍ଚଳରେ ଖୁସି ଓ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି ଏବଂ ଅଞ୍ଚଳବାସୀ କମିଟିର ଏହି ସେବା ପାଇଁ ଆନନ୍ଦ ପ୍ରକାଶ କରିଛନ୍ତି।