ଆନ୍ଧ୍ରପ୍ରଦେଶରେ କୋଭିଡ୍ ଆତଙ୍କ; ଗଞ୍ଜାମ ଜିଲ୍ଲାରେ ହାଇଆଲର୍ଟ, ସଜାଗ ହେଲା ସ୍ୱାସ୍ଥ୍ୟ ବିଭାଗ
Ganjam (ଗଞ୍ଜାମ)ରିପୋର୍ଟ: କବିରାଜ ପାତ୍ର ସ୍ଵତନ୍ତ୍ର ପ୍ରତିନିଧିJuly 15, 2026104 views

ବ୍ରହ୍ମପୁର : ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ କରୋନା ତଥା କୋଭିଡ-୧୯ ସଂକ୍ରମଣ ପୁଣି ଥରେ କାୟା ମେଲାଇବା ଆରମ୍ଭ କରିଛି। ଆନ୍ଧ୍ରରେ ସଂକ୍ରମଣ ବଢ଼ିବା ସହ କିଛି ଚିନ୍ତାଜନକ ମୃତ୍ୟୁ ମାମଲା ମଧ୍ୟ ସାମ୍ନାକୁ ଆସିଛି। ଦୁଇ ରାଜ୍ୟ ମଧ୍ୟରେ ପ୍ରତିଦିନ ହଜାର ହଜାର ଲୋକ ଯାତାୟାତ କରୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ସୀମାନ୍ତ ଜିଲ୍ଲା ଗଞ୍ଜାମରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସଂକ୍ରମଣକୁ ପ୍ରାରମ୍ଭିକ ସ୍ତରରୁ ରୋକିବା ପାଇଁ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (CDMO) ଜିଲ୍ଲାର ସମସ୍ତ ସରକାରୀ ହସ୍ପିଟାଲ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ 'ହାଇ ଆଲର୍ଟ'ରେ ରହିବାକୁ ଜରୁରୀ ନିର୍ଦ୍ଦେଶ ଦେଇଛନ୍ତି।
ଜିଲ୍ଲାରେ କୋଭିଡ୍ ପରୀକ୍ଷା (Testing) ଉପରେ ଏବେ ସବୁଠାରୁ ଅଧିକ ଜୋର୍ ଦିଆଯାଇଛି। ନୂତନ ଗାଇଡଲାଇନ୍ ଅନୁଯାୟୀ, ଡାକ୍ତରଖାନାକୁ ଆସୁଥିବା ସମସ୍ତ ଗୁରୁତର ଶ୍ୱାସକ୍ରିୟା ଜନିତ ସମସ୍ୟା (SARI) ଥିବା ରୋଗୀଙ୍କ କୋଭିଡ୍ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ଏହା ସହିତ ସାଧାରଣ ଥଣ୍ଡା, ଜ୍ୱର ଓ କାଶ (ILI) ଲକ୍ଷଣ ଥିବା ଅତିକମରେ ଶତକଡ଼ା ୫ ଭାଗ ରୋଗୀଙ୍କର ନିୟମିତ ବ୍ୟବଧାନରେ କରୋନା ପରୀକ୍ଷା କରିବାକୁ କୁହାଯାଇଛି। ଜିଲ୍ଲାର ସମସ୍ତ ଚିକିତ୍ସାଳୟରେ ଆଇସୋଲେସନ ୱାର୍ଡ, ଅକ୍ସିଜେନ ସପୋର୍ଟ ବେଡ୍ ଏବଂ ପିଏସଏ ଅକ୍ସିଜେନ ପ୍ଲାଣ୍ଟ ଗୁଡ଼ିକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ରଖିବାକୁ କୁହାଯାଇଛି।ପାରାସିଟାମଲ୍, ଓଆରଏସ, ଜିଙ୍କ୍, ଭିଟାମିନ ଏବଂ ଆବଶ୍ୟକୀୟ ଆଣ୍ଟିବାୟୋଟିକ ଭଳି ଜରୁରୀ ଔଷଧ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ତୃଣମୂଳ ସ୍ତରରେ ନଜର: ଗ୍ରାମାଞ୍ଚଳରେ କୌଣସି ସ୍ଥାନରେ ଜ୍ୱର କିମ୍ବା ଥଣ୍ଡାର କ୍ଲଷ୍ଟର (ଏକାଧିକ ସଂକ୍ରମିତ) ଦେଖାଗଲେ, ତୁରନ୍ତ ରିପୋର୍ଟ କରିବାକୁ ଆଶା ଏବଂ ଏଏନଏମ (ANM) କର୍ମୀମାନଙ୍କୁ ଦାୟିତ୍ୱ ଦିଆଯାଇଛି।
ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ, ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା କୌଣସି କୋଭିଡ୍ ପଜିଟିଭ୍ କେସ୍ ଚିହ୍ନଟ ହୋଇନାହିଁ, ତେଣୁ ଜନସାଧାରଣ ଆତଙ୍କିତ ନହୋଇ ସତର୍କ ରହିବା ଆବଶ୍ୟକ। ଆଗକୁ ପାର୍ବଣ ଓ ଜନସମାଗମ ଥିବାରୁ ସାଧାରଣ ଲୋକଙ୍କୁ ମାସ୍କ ପିନ୍ଧିବା, ସ୍ୱାସ୍ଥ୍ୟ ରକ୍ଷା କରିବା ଏବଂ କୌଣସି ଲକ୍ଷଣ ଦେଖାଦେଲେ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ପରୀକ୍ଷା କରାଇନେବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀ ପ୍ରତିଦିନ ସ୍ଥିତି ଅନୁଧ୍ୟାନ କରି ଜିଲ୍ଲା ଜନସ୍ୱାସ୍ଥ୍ୟ ୟୁନିଟ୍କୁ ରିପୋର୍ଟ ପ୍ରଦାନ କରିବେ।
