କୁଆରମୁଣ୍ଡାରେ ମଦ ଦୋକାନକୁ ନେଇ ତୀବ୍ର ବିରୋଧ: ତୁରନ୍ତ ବନ୍ଦ ନହେଲେ ଆଦାଲତର ଦ୍ୱାରସ୍ଥ ହେବ ODMM
Sundargarh (ସୁନ୍ଦରଗଡ଼)ବ୍ୟୁରୋ ରିପୋର୍ଟ, ସ୍ରିଷ୍ଟି ନିୟୁଜ, କୁଆଁରମୁଣ୍ଡାJuly 13, 202684 views

ରାଉରକେଲା/କୁଆଁରମୁଣ୍ଡା: ସୁନ୍ଦରଗଡ଼ ଜିଲ୍ଲାର କୁଆରମୁଣ୍ଡାରେ ଚାଲୁଥିବା IMFL ଅଫ୍ସପ୍ କୁ ତୁରନ୍ତ ବନ୍ଦ କରି ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ହେଉଥିବା ଦାବୀକୁ ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ (ODMM) ସମର୍ଥନ କରିଛି । ସଂଗଠନ ପକ୍ଷରୁ ଜାରି ହୋଇଥିବା ପ୍ରେସ ବିବୃତ୍ତିରେ କୁହାଯାଇଛି ଯେ, ଏହି ମଦ ଦୋକାନଟି ଶିକ୍ଷାନୁଷ୍ଠାନ, ଅଙ୍ଗନୱାଡ଼ି କେନ୍ଦ୍ର ଏବଂ ଧାର୍ମିକ ସ୍ଥାନ ନିକଟରେ ଅବସ୍ଥିତ ଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ସୃଷ୍ଟି ହୋଇଛି।
ODMMର ସୂଚନା ଅନୁଯାୟୀ, ଉକ୍ତ ମଦ ଦୋକାନରୁ ଏକଲବ୍ୟ ମଡେଲ ରେସିଡେନ୍ସିଆଲ ସ୍କୁଲ ପ୍ରାୟ ୧୫୦ ମିଟର, ଅଙ୍ଗନୱାଡ଼ି କେନ୍ଦ୍ର ପ୍ରାୟ ୬୦ ମିଟର ଏବଂ ଲୋକନାଥ ମନ୍ଦିର ପ୍ରାୟ ୧୦୦ ମିଟର ଦୂରରେ ରହିଛି ତଥା ଏହି ମଦ ଦୋକାନ ଟି ସିଧାସଳଖ ଭାବେ ଜନବସତୀ ଭିତରେ ରହିଛି । ଏଭଳି ସମ୍ବେଦନଶୀଳ ସ୍ଥାନ ନିକଟରେ ମଦ ଦୋକାନ ଚାଲୁ ରହିବା ଶିଶୁମାନଙ୍କ ସୁରକ୍ଷା, ସାମାଜିକ ପରିବେଶ ଏବଂ ଜନସ୍ୱାର୍ଥ ପାଇଁ ବିପଦଜନକ ବୋଲି ସଂଗଠନ ଅଭିଯୋଗ କରିଛି।
ମହାସଂଘ ଦାବି କରିଛି ଯେ, ମଦ ଦୋକାନଟିକୁ ତୁରନ୍ତ ବନ୍ଦ କରି ନିୟମାନୁସାରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଉ। ଏଥିସହ ଉକ୍ତ ସ୍ଥାନରେ ଏହି ଲାଇସେନ୍ସ କେଉଁ ପରିସ୍ଥିତିରେ ଓ କେଉଁ ଆଧାରରେ ପ୍ରଦାନ କରାଯାଇଥିଲା, ସେନେଇ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଦାବି କରାଯାଇଛି। ତଦନ୍ତରେ ଯଦି କୌଣସି ନିୟମ ଉଲ୍ଲଙ୍ଘନ, ଅବହେଳା କିମ୍ବା ଅନିୟମିତତା ପ୍ରମାଣିତ ହୁଏ, ତେବେ ଅନୁମତି ପ୍ରଦାନ କରିଥିବା ସମ୍ପୃକ୍ତ ଅବକାରୀ ଅଧିକାରୀଙ୍କ ବିରୋଧରେ, ଆବଶ୍ୟକ ହେଲେ ଅବକାରୀ ଅଧୀକ୍ଷକଙ୍କ ସମେତ, ସମସ୍ତଙ୍କ ବିରୁଦ୍ଧରେ ବିଭାଗୀୟ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ମହାସଂଘ ଦାବି କରିଛି।
ରାଜ୍ୟ ସରକାର ଏବଂ ଆବକାରୀ ବିଭାଗ ତୁରନ୍ତ ପଦକ୍ଷେପ ନ ନେଲେ, ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ (ODMM) ନ୍ୟାୟାଳୟର ଦ୍ୱାରସ୍ଥ ହେବ ବୋଲି ପ୍ରେସ ବିବୃତ୍ତିରେ ସତର୍କ କରାଯାଇଛି।
