ଜଣେ ଲେଖାଏଁ ଶିକ୍ଷକରେ ୨୫ ବିଦ୍ୟାଳୟ
Balasore (ବାଲେଶ୍ୱର)ରିପୋର୍ଟ: ପ୍ରଭାତ କୁମାର ବାରିକ ବାଲେଶ୍ଵରJuly 11, 202664 views

ଖଇରା, ବାଲେଶ୍ଵର :ଶିକ୍ଷାବର୍ଷ ଆରମ୍ଭରୁ ୭୦ ଦିନ ବିତିଗଲାଣି । ହେଲେ ଏବେ ବାଲେଶ୍ବର ଜିଲ୍ଲା ଖଇରା ବ୍ଲକରେ ଶିକ୍ଷକ ସମସ୍ୟା ଜଟିଳ ହେବାରେ ଲାଗିଛି । ପାଖାପାଖି ୨୦୦ ବିଦ୍ୟାଳୟରେ ପିଲା ଅନୁପାତରେ ଶିକ୍ଷକ ନ ଥିବା ବେଳେ ୧୧ସରକାରୀ ଓ ୧୪ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଜଣେ ଲେଖାଏଁ ଶିକ୍ଷକଙ୍କୁ ନେଇ ବିଦ୍ୟାଳୟ ଚାଲିବା ବର୍ତ୍ତମାନ ଶିକ୍ଷା ବ୍ୟବସ୍ଥାର ନଗ୍ନଛବିକୁ ପ୍ରତିଫଳିତ କରୁଛି। ପ୍ରଥମେ ପୁସ୍ତକପତ୍ର ତ୍ରୁଟି ଏବଂ ଏବେ ଶିକ୍ଷକ ସମସ୍ୟା ପିଲା ଓ ଅଭିଭାବକଙ୍କ ପାଇଁ ବେଡ୍ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । ସରକାର ଯଥାଶୀଘ୍ର ଶିକ୍ଷକ ନିଯୁକ୍ତି ପାଇଁ ବ୍ୟବସ୍ଥା ନ କଲେ ପିଲାମାନଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇଯିବ ବୋଲି ବିଭିନ୍ନ ବିଦ୍ୟାଳୟର ପରିଚାଳନା କମିଟି ତଥା ଅଭିଭାବକମାନେ ପ୍ରକାଶ କରିଛନ୍ତି।
ଖଇରା ବ୍ଲକରେ ମୋଟ ୨୫୭ଟି ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟରୁ ପାଖାପାଖି ୨୧୭ ବିଦ୍ୟାଳୟରେ ପିଲା ଅନୁପାତରେ ଶିକ୍ଷକ ଅଛନ୍ତି କିନ୍ତୁ ଅନ୍ୟ ୧୧ ସରକାରୀ ବିଦ୍ୟାଳୟ ଜଣେ ଲେଖାଏଁ ଶିକ୍ଷକଙ୍କୁ ନେଇ ଚାଲିଛି। ଏହି ବିଦ୍ୟାଳୟଗୁଡିକ ହେଲା ବରଡିହି, ଗଡ଼, ବୁଢିଆଁପା, ମାହିପାଳପଦା, ପାଲଉଦକୁଟ, ମଙ୍ଗଳପୁରା, ଗଙ୍ଗାଭଳିଆ, ଚକାଭେରିଆ, ସୋଲାଗନ୍ ଓ ନୟାସନ୍ଧି ପ୍ରାଥମିକ ବିଦ୍ୟାଳୟ ଏବଂ ଜୟସମୁଦ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ଉପରୋକ୍ତ ୧୧ ବିଦ୍ୟାଳୟରେ ପଢୁଥିବା ମୋଟ ୫୧୫ଜଣ ପିଲାଙ୍କ ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କ ଭବିଷ୍ୟତ ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇସାରିଲେଣି । ବହୁ ବିଦ୍ୟାଳୟଗୁଡ଼ିକୁ ବନ୍ଦ କରିବା ପାଇଁ ସରକାରଙ୍କ ଏହା ଏକ ଷଡ଼ଯନ୍ତ୍ର ବୋଲି ବହୁ ଅଭିଭାବକ ଅଭିଯୋଗ କରିଛନ୍ତି ।
ଉପରୋକ୍ତ ଜୟସମୁଦ୍ର ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ନ ହେଲେ ଅଭିଭାବକମାନେ ଆନ୍ଦୋଳନରେ ବସିବାକୁ ଗ୍ରାମସଭାରେ ଚେତାବନୀ ଦିଆଯାଇଛି । ସରକାରୀ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ଅଭାବ ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ନିଶ୍ଚିତ ଭାବେ ଅବଗତ କରାଯାଇଥିବା ନେଇ ଖଇରା ଏବିଇଓ ଚନ୍ଦ୍ରଧ୍ବଜ ସିଂ ପ୍ରତିକ୍ରିୟାରେ କହିଛନ୍ତି । ସେହିଭଳି ଖଇରା ବ୍ଲକରେ ମୋଟ ୨୧ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ମଧ୍ୟରୁ ୧୪ ବିଦ୍ୟାଳୟରେ ଶିକ୍ଷୟିତ୍ରୀ/ଶିକ୍ଷକଙ୍କ ଅବସର ପରେ ଏବେ ଜଣେ ଲେଖାଏଁ ଶିକ୍ଷୟିତ୍ରୀ/ଶିକ୍ଷକଙ୍କୁ ନେଇ ବିଦ୍ୟାଳୟ ଚାଲିଛି । କାରଣ ବର୍ତ୍ତମାନ ସୁଦ୍ଧା ସରକାରଙ୍କ ତରଫରୁ କୌଣସି ନିଯୁକ୍ତି ପ୍ରଦାନ କରାଯାଇ ନ ଥିବାରୁ ବର୍ଷକୁ ବର୍ଷ ପିଲା କମୁଥିବା ନେଇ ଅଭିଯୋଗ ହୋଇଆସୁଛି । ଏ ସମ୍ପର୍କରେ ଏବିଇଓଙ୍କୁ ପଚାରିବାରେ ଅନୁଦାନପ୍ରାପ୍ତ ସ୍କୁଲଗୁଡିକରେ ଶିକ୍ଷକ ନିଯୁକ୍ତି ପାଇଁ ସରକାରୀ ସ୍ତରରେ ଗାଇଡଲାଇନ ଆସିବା ପରେ ଏଗୁଡିକ ପୂରଣ ହୋଇପାରିବ ବୋଲି କହିଛନ୍ତି ।
