ରଥଯାତ୍ରା ପାଇଁ କୁଲାଡ ପ୍ରସ୍ତୁତ: ଜଗନ୍ନାଥ ମନ୍ଦିର ଦାନବାକ୍ସରୁ ମିଳିଲା କେତେ ଟଙ୍କା
Ganjam (ଗଞ୍ଜାମ)ରିପୋର୍ଟ: ବିଜୟା ନନ୍ଦ ତ୍ରିପାଠୀ ଭଞ୍ଜନଗରJuly 11, 202614 views

ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିରର ଦାନବାକ୍ସ ଶୁକ୍ରବାର ଖୋଲାଯାଇଥିଲା। ଦାନବାକ୍ସରୁ ମୋଟ ୬୬,୮୫୫ ଟଙ୍କା ସଂଗ୍ରହ ହୋଇଥିବା ଜଣାପଡ଼ିଛି। ଦାନବାକ୍ସ ଖୋଲିବା ସମୟରେ ଭଞ୍ଜନଗର ତହସିଲଦାର ଅଭିପ୍ସା ପଟ୍ଟନାୟକ, ଅତିରିକ୍ତ ତହସିଲଦାର ଅବିନାଶ ମହାର, ରାଜସ୍ୱ ନିରୀକ୍ଷକ ଭଗବାନ ବେହେରାଙ୍କ ସମେତ ରଥଯାତ୍ରା କମିଟିର କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ଥିଲେ।
ଅନ୍ୟପକ୍ଷରେ, କୁଲାଡର ପ୍ରସିଦ୍ଧ ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବଡ଼ଦାଣ୍ଡକୁ ବିଭିନ୍ନ ରଙ୍ଗର ଆଲୋକ ଓ ସାଜସଜ୍ଜାରେ ସଜାଯାଇଥିବା ବେଳେ ରଥର ମରାମତି କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହୋଇଛି। ରଥଯାତ୍ରାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ଓ ଯାତ୍ରା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି।
ସୂଚନାଯୋଗ୍ୟ ଯେ, କୁଲାଡରେ ଶତାଧିକ ବର୍ଷ ଧରି ରଥଯାତ୍ରା ପାଳିତ ହୋଇଆସୁଛି। କୁଲାଡ ଭଞ୍ଜ ରାଜବଂଶଙ୍କ ପକ୍ଷରୁ ଏହି ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କରାଯାଇଥିଲା। ସେହି ପରମ୍ପରାକୁ ବଜାୟ ରଖି ଆଜି ମଧ୍ୟ ଭଞ୍ଜ ରାଜବଂଶର ବଂଶଧରମାନେ ଗୁଣ୍ଡିଚା ଯାତ୍ରା ଅବସରରେ ରଥରେ ଛେରା ପହଁରା ନୀତି ସମ୍ପନ୍ନ କରିଥାନ୍ତି।
ଚଳିତ ବର୍ଷ ରଥଯାତ୍ରାକୁ ଅଧିକ ଆକର୍ଷଣୀୟ ଓ ସୁବ୍ୟବସ୍ଥିତ କରିବା ପାଇଁ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଓ ଭଞ୍ଜନଗର ଉପଜିଲାପାଳ ଉମା ଶଙ୍କର ବେହେରାଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ରଥଯାତ୍ରାକୁ ନେଇ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି।
