--:--:--
-- ---
Srishti News

ନବରଙ୍ଗପୁର ବିକାଶରେ ଆଉ ଅବହେଳା ଚଳିବ ନାହିଁ

Nabarangpur (ନବରଙ୍ଗପୁର)ରିପୋର୍ଟ: ଗୋବିନ୍ଦ ତ୍ରିପାଠୀ, ଜିଲ୍ଲା ପ୍ରତିନିଧି, ନବରଙ୍ଗପୁରJuly 11, 202674 views
ନବରଙ୍ଗପୁର ବିକାଶରେ ଆଉ ଅବହେଳା ଚଳିବ ନାହିଁ
ନବରଙ୍ଗପୁର : ନବରଙ୍ଗପୁର ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଗୁରୁବାର ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି I ବିଭିନ୍ନ ଯୋଜନାର କାର୍ଯ୍ୟନ୍ଵୟନରେ ଅନ୍ତବିଭାଗୀୟ ସମନ୍ୱୟ ବୃଦ୍ଧି, ଗୁଣାତ୍ମକ କାର୍ଯ୍ୟ ସୁନିଶ୍ଚିତକରଣ, ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାମ ଶେଷ, ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର ସର୍ବାଧିକ ସୁଫଳ ପ୍ରତ୍ୟେକ ହିତାକାରୀଙ୍କ ନିକଟରେ ପହଞ୍ଚାଇବା ନେଇ ଗୁରୁତ୍ବ ଦିଆଯାଇଛି। ଏଠାରେ ଏମ୍‌ପି ବଳଭଦ୍ର ମାଝୀ ଯୋଗଦେଇ ନବରଙ୍ଗପୁରର ବିକାଶରେ ଆଉ ଅବହେଳା ଚଳିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ମୂଳକ ଯୋଜନାର ଅଗ୍ରଗତି ଓ କାର୍ଯ୍ୟକାରିତାର ସମୀକ୍ଷା ବେଳେ ଅନେକ ବିଭାଗୀୟ ଅଧିକାରୀ ସଠିକ୍ ତଥ୍ୟ ଉପସ୍ଥାପନ କରିପାରିନଥିବାରୁ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏମ୍‌ପି ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ପ୍ରାୟୋଜିତ ବିଭିନ୍ନ ଯୋଜନା, ଜିଲ୍ଲାର ବିକାଶମୂଳକ ପ୍ରକଳ୍ପ, ଚାଲୁଥିବା ଭିଭିଭୂମିର ନିର୍ମାଣ ଲୋକ କଲ୍ୟାଣମୂଳକ ଯୋଜନା ଅସମ୍ପୂର୍ଣ୍ଣ କାର୍ଯ୍ୟର ଅଗ୍ରଗତି ଉପରେ ବିଭାଗ ଭିଭିକ ସମୀକ୍ଷା କରାଯାଇଥିଲା। ବୈଠକରେ ଓଡ଼ିଶା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ଯକ୍ଷ ଗୌରୀଶଙ୍କର ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଝରିଗାଁ ବିଧାୟକ ନରସିଂହ ଭଦ୍ରା, ନବରଙ୍ଗପୁର ପୌରାଧ୍ୟକ୍ଷ କୁନୁ ନାୟକ, ଜିଲାପାଳ ମହେଶ୍ବର ସ୍ବାଇଁ, ସିଡିଓ ବିରଞ୍ଚି ନାରାୟଣ ଦରୱନ, ଉପଜିଲାପାଳ ପ୍ରକାଶ ମିଶ୍ରଙ୍କ ସମେତ ବିଭାଗୀୟ ଜିଲାସ୍ତରୀୟ ଅଧିକାରୀ ମନେ ଉପସ୍ଥିତ ଥିଲେ। ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଜନାଭିଭିକ ଅଗ୍ରଗତି, ଲକ୍ଷ୍ୟ ହାସଲ, ଚ୍ୟାଲେଞ୍ଜ ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ଜିଲ୍ଲାର ରେଳ ସଂଯୋଗୀକରଣ, ବିଶେଷକରି ନବରଙ୍ଗପୁର-ଜୟପୁର ଓ ନବରଙ୍ଗପୁର-ଜୁନାଗଡ଼ ରେଳ ପ୍ରକଳ୍ପର ଅଗ୍ରଗତି, ଭାରତମାଳା ପ୍ରକଳ୍ପ, ବ୍ୟାଙ୍କି ସେବାର ବିସ୍ତାର, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, କୃଷି ଓ କୃଷକ କଲ୍ୟାଣ ଯୋଜନା, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ପାନୀୟ ଜଳ, ଗ୍ରାମୀଣ ସଡ଼କ, ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଅନ୍ୟ କେନ୍ଦ୍ର ପ୍ରାୟୋଜିତ ଯୋଜନାର ଅଗ୍ରଗତି ଉପରେ ଆଲୋଚନା କରାଯାଇଥିଲା। ବିଭିନ୍ନ ପ୍ରକଳ୍ପର କାର୍ଯ୍ୟାନ୍ଵୟନରେ ଥିବା ସମସ୍ୟାର ତ୍ବରିତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗକୁ ଆବଶ୍ୟକ ପରାମର୍ଶ ମଧ୍ୟ ଦିଆଯାଇଥିଲା। ଯୋଜନାର କାର୍ଯ୍ୟନ୍ଵୟନରେ ସ୍ବଚ୍ଛତା, ଦାୟିତ୍ବବୋଧ ଗୁଣାତ୍ମକମାନ ବଜାୟ ରଖିବା ସହ ନିୟମିତ କ୍ଷେତ୍ର ପରିଦର୍ଶନ କରିବାକୁ ଏମ୍‌ପି ପରାମର୍ଶ ଦେଇଥିଲେ। ମନ୍ତ୍ରୀ ଗଣ୍ଡ ଜିଲ୍ଲାର ଗୋଦାବରୀଶ ବିଦ୍ୟାଳୟର ସାମଗ୍ରିକ ବିକାଶ, ଆଧୁନିକ ଭିତ୍ତିଭୂମିର ବିକାଶ ଏବଂ ଉନ୍ନ‌ତ ଶିକ୍ଷା ପରିବେଶ ସୃଷ୍ଟି ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସମ୍ପୃକ୍ତ ବିଭାଗକୁ ପରାମର୍ଶ ଦେଇଥିଲେ। ଶିକ୍ଷା କ୍ଷେତ୍ରର ଗୁଣାତ୍ମକ ବିକାଶ ଜିଲ୍ଲାର ସାମଗ୍ରିକ ବିକାଶର ଭିଭିଭୂମି ବୋଲି ମନ୍ତ୍ରୀ କହିଥିଲେ। ଜିଲ୍ଲାପାଳ ମହେଶ୍ବର ସ୍ବାଇଁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିୟମିତ କ୍ଷେତ୍ର ପରିଦର୍ଶନ କରି କାର୍ଯ୍ୟର ଗୁଣାତ୍ମକ ମାନ ସୁନିଶ୍ଚିତ କରିବା, ହିତାକାରୀଙ୍କ ସମସ୍ୟାର ତ୍ବରିତ ସମାଧାନ କରିବା ଏବଂ ସମସ୍ତ ଯୋଜନାର ନିର୍ଦ୍ଧାରିତ ଲକ୍ଷ୍ୟ ସମୟ ଧରେ ପୂରଣ କରିବା ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ।