ବାରୁଇପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା: ପୋଲିସ ଏନକାଉଣ୍ଟରରେ ମୁଖ୍ୟ ଅଭିଯୁକ୍ତ ପ୍ରଭାସ ମଣ୍ଡଳ ନିହତ
ରିପୋର୍ଟ: କବିରାଜ ପାତ୍ର ସ୍ଵତନ୍ତ୍ର ପ୍ରତିନିଧିJuly 9, 202642 views

ବାରୁଇପୁର: ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ ବାରୁଇପୁରଠାରେ ଘଟିଥିବା ଏକ ସେନ୍ସେସନାଲ୍ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଭାସ ମଣ୍ଡଳ ପୋଲିସ ଗୁଳିରେ ପ୍ରାଣ ହରାଇଛି। ଗତକାଲି ବିଳମ୍ବିତ ରାତିରେ କ୍ରାଇମ ସିନ୍ ରିକ୍ରିଏସନ୍ (ଘଟଣାର ପୁନରାବୃତ୍ତି) ପାଇଁ ନିଆଯାଉଥିବା ସମୟରେ ପୋଲିସ ଏନକାଉଣ୍ଟରରେ ତାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ପୋଲିସ ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମାମଲାର ଅଧିକ ତଦନ୍ତ ଏବଂ ଘଟଣାସ୍ଥଳର ସ୍ଥିତି ପରଖିବା ପାଇଁ ଗତକାଲି ରାତି ପ୍ରାୟ ୧୨:୪୫ ମିନିଟ୍ ସମୟରେ ଅଭିଯୁକ୍ତ ପ୍ରଭାସ ମଣ୍ଡଳକୁ ସୂର୍ଯ୍ୟପୁରସ୍ଥିତ କ୍ରାଇମ ସିନ୍କୁ ନିଆଯାଇଥିଲା।
ଘଟଣାସ୍ଥଳରେ ପହଞ୍ଚିବା ପରେ ଅଭିଯୁକ୍ତ ପ୍ରଭାସ ହଠାତ୍ ଜଣେ ପୋଲିସ କର୍ମଚାରୀଙ୍କ ସର୍ଭିସ ପିସ୍ତଲ ଛଡ଼ାଇ ନେଇଥିଲା ଏବଂ ପୋଲିସ ଗାଡ଼ି ଉପରକୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରିଥିଲା।
ପ୍ରତି ଆକ୍ରମଣ ଏବଂ ଅଭିଯୁକ୍ତକୁ କାବୁ କରିବା ପାଇଁ ପୋଲିସ ପକ୍ଷରୁ ମଧ୍ୟ ଜବାବୀ ଗୁଳି ଚଳାଯାଇଥିଲା। ପୋଲିସ ଗୁଳିରେ ପ୍ରଭାସ ଗୁରୁତର ଭାବେ ଆହତ ହୋଇଥିଲା।
ଗୁଳିବିଦ୍ଧ ଅଭିଯୁକ୍ତକୁ ତୁରନ୍ତ ସ୍ଥାନୀୟ ବାରୁଇପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା, ମାତ୍ର ସେଠାରେ କାର୍ଯ୍ୟରତ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।
ସୂଚନାଯୋଗ୍ୟ ଯେ, ଗତ ଶନିବାର ଦିନ ବାରୁଇପୁର ଅଞ୍ଚଳର ଜଣେ ୧୨ ବର୍ଷର ନାବାଳିକା ନିଖୋଜ ହୋଇଯାଇଥିଲେ। ରବିବାର ଦିନ ସ୍ଥାନୀୟ ଏକ ପୋଖରୀରୁ ଏକ ବସ୍ତା ଭିତରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ପ୍ରଭାସ ମଣ୍ଡଳକୁ ଗିରଫ କରିଥିଲା। ପରେ ଜଣାପଡ଼ିଥିଲା ଯେ ଅଭିଯୁକ୍ତ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିବା ପରେ ଜୀବନ୍ତ ଅବସ୍ଥାରେ ପୋଖରୀକୁ ଫିଙ୍ଗି ହତ୍ୟା କରିଥିଲା। ପୋଷ୍ଟମର୍ଟମ ରିପୋର୍ଟରୁ ନାବାଳିକା ପ୍ରତି ହୋଇଥିବା ଅତ୍ୟନ୍ତ ବର୍ବରତା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।
ପୋଲିସ ଏହି ମାମଲାରେ ସଂପୃକ୍ତ ଥିବା ଅନ୍ୟ ତିନି ଅଭିଯୁକ୍ତଙ୍କୁ ଗିରଫ କରି ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ (SIT) ଜରିଆରେ ଅଧିକ ତଦନ୍ତ ଚଳାଇଛି।
