--:--:--
-- ---
Srishti News

ଚିକିଟି ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପୂରଣ ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ସ୍ଥଗିତାଦେଶ

Ganjam (ଗଞ୍ଜାମ)ରିପୋର୍ଟ: କବିରାଜ ପାତ୍ର ସ୍ଵତନ୍ତ୍ର ପ୍ରତିନିଧିJuly 9, 202632 views
ଚିକିଟି ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପୂରଣ ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ସ୍ଥଗିତାଦେଶ
ଗଞ୍ଜାମ ଜିଲ୍ଲା ଚିକିଟି ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପୂରଣ ପାଇଁ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ଉପରେ ହାଇକୋର୍ଟ ଅନ୍ତରୀଣ ଅଙ୍କୁଶ ଜାରି କରିଛନ୍ତି। ୨୦୨୬, ଜୁଲାଇ ୮ ତାରିଖ ପୂର୍ବାହ୍ନ ୧୦ଟାରେ ଚିକିଟି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅଧ୍ୟକ୍ଷ ନିର୍ବାଚନ ପାଇଁ ଜାରି ନୋଟିସ୍ କାର୍ଯ୍ୟକାରୀ ଉପରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଏଥି ସହିତ ଚିକିଟି ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପୂରଣ ପାଇଁ ଜାରି ନୋଟିସ୍ ବିରୋଧରେ ଦାୟର ମାମଲାରେ ହାଇକୋର୍ଟ ରାଜ୍ୟ ସରକାର, ରାଜ୍ୟ ନିର୍ବାଚନ କମିଶନ ଓ ଅନ୍ୟ ପ୍ରତିପକ୍ଷଙ୍କୁ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି। ଜଷ୍ଟିସ୍ ବି. ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଅକ୍ଷୟ କୁମାର ସେଠୀ, ଜପାରି ସୀମାଞ୍ଚଳ ଓ ମୋହନ ସାହୁଙ୍କ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଆସନ୍ତା ଅଗଷ୍ଟ ୧୨ କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ମାମଲାର ବିବରଣୀରୁ ପ୍ରକାଶ ଯେ ଚିକିଟି ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ପରଲୋକ ପରେ ଏହି ପଦବି ଖାଲି ପଡିଥିଲା। ଏହାକୁ ପୂରଣ କରିବା ପାଇଁ ଜୁନ ୩୦ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ପଞ୍ଚାୟତ ସମିତି ସଭ୍ୟ ପଦବି ଖାଲି ଥିବା ବେଳେ କେବଳ ଅଧ୍ୟକ୍ଷ ପଦ ପୂରଣ ପାଇଁ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ କରାଯିବା ଆଇନ ଅନୁଯାୟୀ ଗ୍ରହଣୀୟ ନୁହେଁ। ଏପରି ବିଜ୍ଞପ୍ତି ‘ଓଡ଼ିଶା ପଞ୍ଚାୟତ ସମିତି ନିର୍ବାଚନ ନିୟମାବଳୀ, ୧୯୯୧’ର ଉଲ୍ଲଘଂନ କରୁଛି ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଲଲାଟେନ୍ଦୁ ସାମନ୍ତରାୟ ଓ ଆଇନଜୀବୀ କବିର କୁମାର ଜେନା ମାମଲା ପରିଚାଳନା କରୁଛନ୍ତି।