ଅନୁଗୋଳରେ ରଥଯାତ୍ରା ପ୍ରସ୍ତୁତି ବୈଠକ: ସୁପରିଚାଳନା ଉପରେ ଗୁରୁତ୍ୱ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJuly 4, 2026101 views

ଅନୁଗୋଳ: ଚଳିତ ମାସର ୧୬ ତାରିଖରେ ଅନୁଗୋଳରେ ଅନୁଷ୍ଠିତ ହେବାକୁ ଥିବା ପବିତ୍ର ଶ୍ରୀଜଗନ୍ନାଥ ରଥଯାତ୍ରାର ସୁପରିଚାଳନା ଓ ସୁରକ୍ଷିତ ଆୟୋଜନ ନିମନ୍ତେ ଅନୁଗୋଳ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ଏମ୍. ଅଖତରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।
ଏହି ବୈଠକରେ ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇ ଚଳିତ ବର୍ଷର ରଥଯାତ୍ରାକୁ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷାର ସହିତ ସଫଳ ଭାବେ ଆୟୋଜନ କରିବା ସମ୍ପର୍କରେ ମତାମତ ରଖିଥିଲେ। ଭକ୍ତମାନଙ୍କ ସୁବିଧା, ଟ୍ରାଫିକ୍ ପରିଚାଳନା, ପରିମଳ ବ୍ୟବସ୍ଥା, ପାନୀୟ ଜଳ, ବିଦ୍ୟୁତ୍, ସ୍ୱାସ୍ଥ୍ୟସେବା ଏବଂ ସୁରକ୍ଷା ବ୍ୟବସ୍ଥାକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା।
ବୈଠକରେ ଅନୁଗୋଳ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ଜୈନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର, ଶ୍ରୀ ପ୍ରତାପ ପ୍ରୀତିମୟ, ଉପଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦେବଦତ୍ତ ମହନ୍ତଙ୍କ ସମେତ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗର ଅଧିକାରୀ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା ଏବଂ ଅନୁଗୋଳ ଶୈଳୀ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।
ରଥଯାତ୍ରାକୁ ସମସ୍ତଙ୍କ ସହଯୋଗରେ ସୁଚାରୁ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ବୈଠକରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଥିଲା।
