--:--:--
-- ---
Srishti News

ବଙ୍ଗିଦା ପଞ୍ଚାୟତର ୭ ନମ୍ବର ୱାର୍ଡ ରାସ୍ତାର ଦୁର୍ଦ୍ଦଶା, ଅସନ୍ତୋଷରେ ଗ୍ରାମବାସୀ

Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାJuly 4, 202698 views
ବଙ୍ଗିଦା ପଞ୍ଚାୟତର ୭ ନମ୍ବର ୱାର୍ଡ ରାସ୍ତାର ଦୁର୍ଦ୍ଦଶା, ଅସନ୍ତୋଷରେ ଗ୍ରାମବାସୀ
ଖୋର୍ଦ୍ଧା:୩ /୭ ଜୁଲାଇ: ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ବଙ୍ଗିଦା ଗ୍ରାମ ପଞ୍ଚାୟତର ୭ ନମ୍ବର ୱାର୍ଡର ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଖୋର୍ଦ୍ଧା ବ୍ଲକ ମୁଖ୍ୟାଳୟରୁ ମାତ୍ର ୭ରୁ ୮ କିଲୋମିଟର ଦୂରରେ ଥିବା ଏହି ରାସ୍ତାଟି । ଏହି ପଞ୍ଚାୟତରେ ପାଣି, ରାସ୍ତା, ଭତ୍ତା ଓ ରାସନ ଭଳି ବିଭିନ୍ନ ସମସ୍ୟାକୁ ନେଇ ଲୋକଙ୍କ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି।ବିଶେଷ କରି ୭ ନମ୍ବର ୱାର୍ଡର ସାହି ଭିତର ରାସ୍ତା ବର୍ଷାଦିନେ ପଙ୍କ ଓ କାଦୁଅରେ ଭରି ଯାଇ କୃତ୍ରିମ ସରୋବରର ରୂପ ନେଉଛି। ଫଳରେ ଛୋଟ ଛୁଆଙ୍କଠାରୁ ବୟସ୍କ ଲୋକ ପର୍ଯ୍ୟନ୍ତ ଦୈନନ୍ଦିନ ଯାତାୟାତରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କାଦୁଅ ରାସ୍ତାରେ ଗୋଡ଼ ଖସି ପଡ଼ି ଅନେକେ ଆହତ ହେଉଥିବା ଅଭିଯୋଗ ମଧ୍ୟ ହୋଇଛି।ଏହି ରାସ୍ତାଟି ପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ ବାଲୁଙ୍ଗେଶ୍ୱର ମନ୍ଦିର ପର୍ଯ୍ୟନ୍ତ ସାହି ଭିତର ଦେଇ ସଂଯୋଗ ସ୍ଥାପନ କରିଥାଏ। ପ୍ରତିଦିନ ଏହି ରାସ୍ତା ଦେଇ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯାତାୟାତ କରୁଥିବା ବେଳେ ଗ୍ରାମବାସୀ ଓ କୃଷକମାନେ ମଧ୍ୟ ନିଜ ନିତ୍ୟକର୍ମ ଏବଂ ଚାଷଜମିକୁ ଯିବା ପାଇଁ ଏହି ରାସ୍ତା ଉପରେ ନିର୍ଭରଶୀଳ।ଗ୍ରାମବାସୀଙ୍କ କହିବା ଅନୁସାରେ, ସାହିର କ୍ଲବ ଘର ନିକଟରେ ଏକ ନୂତନ ଡ୍ରେନ ନିର୍ମାଣ ହେବା ପରଠାରୁ ଏହି ସମସ୍ୟା ଅଧିକ ବଢ଼ିଛି। ଡ୍ରେନଟି ରାସ୍ତାଠାରୁ ଉଚ୍ଚରେ ନିର୍ମାଣ ହୋଇଥିବାରୁ ବର୍ଷାପାଣି ନିଷ୍କାସନ ହୋଇପାରୁନାହିଁ ଏବଂ ରାସ୍ତା ଉପରେ ପାଣି ଓ ପଙ୍କ ଜମି ରହୁଛି। ଅନ୍ୟପଟେ, ପଞ୍ଚାୟତରେ ନିୟମିତ ଗ୍ରାମସଭା ହେଉନଥିବା କିମ୍ବା ହେଲେ ମଧ୍ୟ ସାଧାରଣ ଲୋକଙ୍କୁ ସୂଚନା ଦିଆଯାଉନଥିବା ନେଇ ମଧ୍ୟ ଅଭିଯୋଗ ଉଠିଛି। କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ନେଇ ଗ୍ରାମସଭା କରାଯାଉଥିବା ବେଳେ ସାଧାରଣ ଗ୍ରାମବାସୀଙ୍କ ମତାମତକୁ ଗୁରୁତ୍ୱ ଦିଆଯାଉନଥିବା ସେମାନେ କହିଛନ୍ତି।ତେଣୁ ଗ୍ରାମବାସୀମାନେ ସରକାର ଏବଂ ଜିଲ୍ଲା ପ୍ରଶାସନଙ୍କ ନିକଟରେ ବଙ୍ଗିଦା ଗ୍ରାମ ପଞ୍ଚାୟତର ସମସ୍ତ ଜରାଜୀର୍ଣ୍ଣ ରାସ୍ତା, ବିଶେଷ କରି ୭ ନମ୍ବର ୱାର୍ଡର ସାହି ଭିତର ରାସ୍ତାର ତୁରନ୍ତ ମରାମତି ଓ ନୂତନ ନିର୍ମାଣ ପାଇଁ ଦାବି କରିଛନ୍ତି। ସେହିପରି ଡ୍ରେନେଜ୍ ବ୍ୟବସ୍ଥାର ତ୍ରୁଟି ସୁଧାରି ସ୍ଥାୟୀ ସମାଧାନ କରିବାକୁ ମଧ୍ୟ ଅନୁରୋଧ ।