କୋଲ୍ ୱାଶରୀ ରାସ୍ତା ପାଲଟିଛି ମରଣଯନ୍ତା, ଓଭରବ୍ରିଜ୍ ଦାବିରେ ତେଜିଲା ଅସନ୍ତୋଷ
Angul (ଅନୁଗୋଳ)ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନାJuly 3, 202672 views

ତାଳଚେର: ତାଳଚେର ବ୍ଲକ ଅନ୍ତର୍ଗତ ଘଣ୍ଟପଡ଼ା ଗ୍ରାମପଞ୍ଚାୟତରେ ଅବସ୍ଥିତ କୋଲ୍ ୱାଶରୀକୁ ପ୍ରତିଦିନ ବିଭିନ୍ନ କୋଇଲା ଖଣିରୁ ହଜାର ହଜାର ଟ୍ରକ୍ରେ କୋଇଲା ପରିବହନ କରାଯାଉଛି। ଏହି ଭାରୀ ଯାନଗୁଡ଼ିକ ସାଧାରଣ ଜନସାଧାରଣ ବ୍ୟବହାର କରୁଥିବା ରାସ୍ତା ଦେଇ ଯାତାୟାତ କରୁଥିବାରୁ ରାସ୍ତାଟି ଏବେ ମରଣଯନ୍ତା ପାଲଟିଯାଇଛି।
ଏହି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଲୋକ ଯାତାୟାତ କରୁଥିବା ବେଳେ ୱାଶରୀ ଛକ ନିକଟରେ ବାରମ୍ବାର ସଡ଼କ ଦୁର୍ଘଟଣା ଘଟୁଛି। ଅନେକ ଲୋକ ଆହତ ହୋଇ ଚିକିତ୍ସା ପାଇଛନ୍ତି ଏବଂ କେତେକ ଲୋକ ଅଳ୍ପକେ ପ୍ରାଣରକ୍ଷା କରିଛନ୍ତି। ଏହି ପରିସ୍ଥିତି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଗଭୀର ଉଦ୍ବେଗ ସୃଷ୍ଟି କରିଛି।
ଦୀର୍ଘଦିନ ଧରି ଏହି ସ୍ଥାନରେ ଏକ ଓଭରବ୍ରିଜ୍ ନିର୍ମାଣ ପାଇଁ ବିଭିନ୍ନ ସ୍ତରରେ ଦାବି ଓ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଫଳପ୍ରଦ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, କୋଇଲା ପରିବହନ ଜାରି ରହିଥିବା ବେଳେ ସୁରକ୍ଷା ବ୍ୟବସ୍ଥା ଓ ସ୍ଥାୟୀ ସମାଧାନ ଦିଗରେ ଗୁରୁତ୍ୱ ଦିଆଯାଉନାହିଁ। ତୁରନ୍ତ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ନହେଲେ ଆଗାମୀ ଦିନରେ ବ୍ୟାପକ ଜନଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ଲୋକ ଚେତାବନୀ ଦେଇଛନ୍ତି।
