ଦାଦନର ବିକଳ ପରିଣତି, ଜେଜେମା ସାହାରା ରେ ନାତି ଓ ନାତୁଣୀ
Balasore (ବାଲେଶ୍ୱର)ରିପୋର୍ଟ: ପ୍ରଭାତ କୁମାର ବାରିକ, ବାଲେଶ୍ଵରJuly 3, 202631 views

ବାଲେଶ୍ଵର : ପରିଣତ ବୟସରେ ପୁଅ ଆଶା ବାଡ଼ି ସାଜି ବାପା ଓ ମାଆଙ୍କ ସାହାରା ସାଜିବା କଥା। ମାତ୍ର ପରିବାରରେ ଗୋଟିଏ ପରେ ଗୋଟିଏ ଅଘଟଣ ଘଟି ଚାଲିଛି। ଅସହାୟ ନାତିନାତୁଣୀଙ୍କ ସାହାରା ସାଜିଛନ୍ତି ବୃଦ୍ଧା ଜେଜେମା। ଚିତ୍ର ହେଉଛି ବାଲେଶ୍ଵର ଜିଲ୍ଲା, ଭୋଗରାଇ ବ୍ଲକ, ଶଙ୍ଖାରି ପଞ୍ଚାୟତ ଅଧୀନ ଚକନାପାଳ ଗାଁର।
ଏହି ଗାଁରେ ମଣ୍ଡୁ ଓ ବାସନ୍ତୀ ଜେନାଙ୍କ ପରିବାରରେ ସବୁ କିଛି ଠିକ୍ ଠାକ୍ ଚାଲିଥିଲା। ପ୍ରଥମେ ସାତ ବର୍ଷ ପୂର୍ବରୁ ବିଜୁଳି ଆଘାତରେ ସ୍ଵାମୀ ମଣ୍ଡୁଙ୍କ ମୃତ୍ୟୁ ହେଲା। ୨ ଜଣ ପୁଅଙ୍କ ମୁହଁକୁ ଚାହିଁ ମାଆ ଛାତି ଉପରେ ପଥର ରଖି ଦେଇଥିଲେ। ପରିବାରର ବୋଝ ମୁଣ୍ଡାଇବାକୁ ଯାଇ ବଡ଼ ପୁଅ ଗଣେଶ ସ୍ଵାଭାବିକ ଭାବେ ଦାଦନ ଖଟିବାକୁ ଘର ଛାଡ଼ି କାଟିଲେ। ହେଲେ ଠିକଣା ଜାଗାରେ ପହଞ୍ଚିବା ପୂର୍ବରୁ ଟ୍ରେନ ଯାତ୍ରାବେଳେ ସେ ନିଖୋଜ ହୋଇଯାଇଥିଲେ। ଏକ ସପ୍ତାହ ପରେ ସ୍ତ୍ରୀ ସୁଭଦ୍ରା ଘରେ ପହଞ୍ଚିଥିଲେ। କିଛି ଦିନ ସ୍ଵାମୀ ଦୁଃଖରେ ରହିବା ପରେ ଏବେ ଛୁଆ ଦୁଇଙ୍କୁ ଛାଡ଼ି ବାପ ଘରେ ରହୁଛନ୍ତି।
ସାନ ପୁଅ କାର୍ତ୍ତିକ (୩୮) ହାଇଦ୍ରାବାଦର ନାମପାଲି ଜିଲ୍ଲା ମଙ୍ଗଳାବାଦର ଏକ ତେଜରାତି ଦୋକାନରେ କାମ କରୁଥିଲେ। ରବିବାର ମଙ୍ଗଳାହାଟ ପୁଲିସ ଷ୍ଟେସନ ପାଖରେ କାର୍ତ୍ତିକ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଦେଖୁଥିଲେ। ସେଠାକାର ଓଡ଼ିଆ ଯୁବକମାନେ ତାଙ୍କୁ ଉସମାନିଆ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ କରାଯିବା ପରେ ଜୟ ଜଗନ୍ନାଥ ସଂସ୍ଥା ଅନ୍ତିମ ସଂସ୍କାର କରିଥିବା କଥା ସେଠାରେ କାର୍ଯ୍ୟ କରୁଥିବା ପ୍ରତିଭା ଗାଁର ଅଭିଜିତ ମହାପାତ୍ର କହିଛନ୍ତି। ତେବେ ମୃତ୍ୟୁର କାରଣ ଏବେବି ଅସ୍ପଷ୍ଟ ରହିଛି।
ଅପରପକ୍ଷେ ନାତି ନାରାୟଣ ଜେନା (୧୭) ଗତବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଦେଇ ପାଠ ପଢ଼ାରେ ଡୋରି ବାନ୍ଧି ଘରର ବୋଝ ପାଇଁ ପର ଘରେ ମୂଲ ଲାଗୁଛନ୍ତି। ନାତୁଣୀ ତୁଳସୀ (୧୨) ଅଧାରୁ ପାଠପଢ଼ା ଛାଡ଼ି ଘରେ ବସିଛି। ବାସନ୍ତୀଙ୍କୁ ମାସକୁ ମିଳୁଥିବା ୧ ହଜାର ଭତ୍ତା ଟଙ୍କାରେ ୩ ପ୍ରାଣୀ ବହୁ ଅଭାବ ଅନଟନ ମଧ୍ୟରେ ଏକ ପଲିଥିନ ଟାଙ୍ଗି ତଳେ ଦିନ ବିତାଉଛନ୍ତି। ଖାଲି ସେତିକି ନୁହେଁ, ବାସନ୍ତୀଙ୍କ ନାମରେ ଥିବା ଅନ୍ତୋଦୟ କାର୍ଡରେ ଇ-କେୱାଇସି ହୋଇ ନଥିବାରୁ ଚଳିତ ମାସରୁ ରାସନ ଚାଉଳ ମଧ୍ୟ ବନ୍ଦ ହୋଇ ଯାଇଛି। ତେବେ ଏଭଳି ପରିସ୍ଥିତିରେ ଏହି ପରିବାର ଉପରୁ ଦୁଃଖର ପାହାଡ଼ କେବେ ହଟିବ। ବେସାହାରା ପରିବାରର ବେଦନା ସରକାର କେବେ ଶୁଣୁଛନ୍ତି କେବଳ ତାକୁ ହିଁ ଅପେକ୍ଷା।
