ଡିଜିଟାଲ ଇଣ୍ଡିଆର ୧୧ ବର୍ଷ: ଶିକ୍ଷା କ୍ଷେତ୍ରରେ ଏବିସି ଓ ଅପାରର ବଡ଼ ସଫଳତା
Bhubaneswar (ଭୁବନେଶ୍ୱର)ରିପୋର୍ଟ : ସୁକାନ୍ତ ପ୍ରଧାନJuly 3, 202649 views

ନୂଆଦିଲ୍ଲୀ,୦୨ ଜୁଲାଇ ୨୬: ଜୁଲାଇ ୧ ତାରିଖରେ ଡିଜିଟାଲ ଇଣ୍ଡିଆ ଅଭିଯାନକୁ ୧୧ ବର୍ଷ ପୂରଣ ହୋଇଛି। ଏହି ଅବଧିରେ ଶିକ୍ଷା ଠାରୁ ଆରମ୍ଭ କରି ପ୍ରାୟ ସମସ୍ତ କ୍ଷେତ୍ରରେ ଭାରତ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମିକୁ ମଜବୁତ କରି ପ୍ରଶାସନକୁ ଅଧିକ ସ୍ୱଚ୍ଛ, ସୁଲଭ ଏବଂ ନାଗରିକ କୈନ୍ଦ୍ରିକ କରିଛି।
ଶିକ୍ଷା କ୍ଷେତ୍ରରେ ଡିଜିଟାଲ ଇଣ୍ଡିଆ ଜାତୀୟ ଶିକ୍ଷା ନୀତି (ଏନଇପି ୨୦୨୦) ଅନୁଯାୟୀ ଜୀବନବ୍ୟାପୀ ଶିକ୍ଷା, ଶୈକ୍ଷିକ ଗତିଶୀଳତା ଏବଂ ସୁରକ୍ଷିତ ଡିଜିଟାଲ ପ୍ରମାଣପତ୍ରକୁ ପ୍ରୋତ୍ସାହନ ଦେଇଥିବା ପ୍ଲାଟଫର୍ମଗୁଡ଼ିକର ବିକାଶକୁ ତେଜ କରିଛି। ଏକାଡେମିକ୍ ବ୍ୟାଙ୍କ ଅଫ୍ କ୍ରେଡିଟ୍ସ (ଏବିସି) ଏବଂ ନେସନାଲ ଏକାଡେମିକ୍ ଡିପୋଜିଟୋରୀ (ଏନଏଡି) ଏହି ପରିବର୍ତ୍ତନର ମୁଖ୍ୟ ଅଂଶ।
ଏବିସି ହେଉଛି ଛାତ୍ରଛାତ୍ରୀଙ୍କ ଶୈକ୍ଷିକ କ୍ରେଡିଟ୍ ସଂରକ୍ଷଣ, ସ୍ଥାନାନ୍ତର ଏବଂ ବ୍ୟବହାର ପାଇଁ ଏକ ଡିଜିଟାଲ ପ୍ଲାଟଫର୍ମ। ଏହା ବହୁମୁଖୀ ପ୍ରବେଶ-ପ୍ରସ୍ଥାନ ପ୍ରଣାଳୀକୁ ସହଜ କରି ନମନୀୟ ଶିକ୍ଷା ପଥକୁ ସମର୍ଥନ କରୁଛି।
ଅପାର (Automated Permanent Academic Account Registry) ସହ ଏବିସିର ସମନ୍ୱୟ ପ୍ରତ୍ୟେକ ଶିକ୍ଷାର୍ଥୀଙ୍କୁ ଏକ ଅନନ୍ୟ ଜୀବନବ୍ୟାପୀ ଶୈକ୍ଷିକ ପରିଚୟ ଦେଇଛି। ଏହା ମାଧ୍ୟମରେ ସ୍କୁଲ ଠାରୁ ଉଚ୍ଚଶିକ୍ଷା ଓ ଦକ୍ଷତା ବିକାଶ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାଗତ ରେକର୍ଡ ଡିଜିଟାଲ ଭାବେ ସୁରକ୍ଷିତ ରହୁଛି।
ସରକାରୀ ତଥ୍ୟ ଅନୁସାରେ, ଏବିସି ପ୍ଲାଟଫର୍ମରେ ୨,୯୬୩ଟି ଉଚ୍ଚଶିକ୍ଷା ପ୍ରତିଷ୍ଠାନ ପଞ୍ଜୀକୃତ ହୋଇଛି। ୨୬.୨୯ କୋଟିରୁ ଅଧିକ ଅପାର ଆଇଡି ସୃଷ୍ଟି ହୋଇଥିବାବେଳେ ୧୧୦.୬୫ କୋଟିରୁ ଅଧିକ ଶିକ୍ଷାଗତ ରେକର୍ଡ ଅପଲୋଡ୍ ହୋଇଛି। ଏହା ଫଳରେ କାଗଜପତ୍ରର ଆବଶ୍ୟକତା ହ୍ରାସ ପାଇଛି।
ଏହା ସହିତ ନେସନାଲ ଏକାଡେମିକ୍ ଡିପୋଜିଟୋରୀ (ଏନଏଡି) ଶିକ୍ଷାଗତ ପ୍ରମାଣପତ୍ରର ଏକ ୨୪ ଘଣ୍ଟିଆ ଡିଜିଟାଲ ଭଣ୍ଡାର ଭାବେ କାମ କରୁଛି। ଏହା ମାଧ୍ୟମରେ ଡିଗ୍ରୀ, ଡିପ୍ଲୋମା ଓ ମାର୍କସିଟ୍ ସୁରକ୍ଷିତ ଭାବେ ସଂରକ୍ଷିତ ଓ ଯାଞ୍ଚ ହେଉଛି।
ଛାତ୍ରଛାତ୍ରୀମାନେ ମଧ୍ୟ ଏହାର ଲାଭ ଅନୁଭବ କରୁଛନ୍ତି। ଅପାର ଆଇଡି ଯାଞ୍ଚ ପ୍ରକ୍ରିୟାକୁ ସରଳ କରିବା ସହ ଡକ୍ୟୁମେଣ୍ଟ ବ୍ୟବହାରକୁ ସହଜ କରିଛି। ସେମାନେ ସେମିନାର, ଇଣ୍ଟର୍ନସିପ୍ ଓ ସ୍କଲାରସିପ୍ ପାଇଁ ଆବେଦନ କରିବାରେ ଅଧିକ ସୁବିଧା ପାଉଛନ୍ତି।
ଏବିସି, ଏନଏଡି, ଅପାର ଓ ଡିଜିଲକରର ସମନ୍ୱୟ ଏକ ଶକ୍ତିଶାଳୀ ଡିଜିଟାଲ ଏକାଡେମିକ୍ ଇକୋସିଷ୍ଟମ୍ ଗଠନ କରିଛି। ଏହା ଡିଜିଟାଲ ଶିକ୍ଷାକୁ ଆଗେଇ ନେଇ ବିକଶିତ ଭାରତ ଲକ୍ଷ୍ୟକୁ ସମର୍ଥନ କରୁଛି।
