କୋଳିଥିଆ ଡବଲ ମର୍ଡର ଘଟଣାର ଫର୍ଦାଫାସ, ୨ ନାବାଳକ ଛାତ୍ର ଗିରଫ
Bhubaneswar (ଭୁବନେଶ୍ୱର)ରିପୋର୍ଟ: କବିରାଜ ପାତ୍ର ସ୍ଵତନ୍ତ୍ର ପ୍ରତିନିଧିJuly 1, 202683 views

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଏକ ଲୋମଟାଙ୍କୁରା ଅପରାଧ ସାମ୍ନାକୁ ଆସିଛି। ଖଣ୍ଡଗିରି ଥାନା ଅନ୍ତର୍ଗତ କୋଳଥିଆ ଛକ ନିକଟରେ ଘଟିଥିବା ଚାଞ୍ଚଲ୍ୟକର ଡବଲ୍ ମର୍ଡର ଘଟଣାର ଗୁମର ଖୋଲିଛି କମିଶନରେଟ୍ ପୋଲିସ। ପ୍ରେମ ବ୍ୟାପାର ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ବେଳେ ଏହା ପଛରେ ଦୁଇ ଜଣ ସ୍କୁଲ ପଢୁଆ ନାବାଳକ ଛାତ୍ର ରହିଥିବା ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ ସୂଚନା ଦେଇଛନ୍ତି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଦଶମ ଶ୍ରେଣୀର ହୋଇଥିବା ବେଳେ ଅନ୍ୟ ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ର।
ମୃତକମାନେ ହେଲେ କୋଳଥିଆ ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିବା ୨୦ ବର୍ଷୀୟ ଯୁକ୍ତ ତିନି ବିଜ୍ଞାନ ଛାତ୍ର କୃଷ୍ଣ ଚନ୍ଦ୍ର ପାଢ଼ୀ (ବୁଦ୍ଧି) ଏବଂ ତାଙ୍କ ୫୪ ବର୍ଷୀୟ ପିତା ହିମାଂଶୁ ପାଢ଼ୀ। ସୋମବାର ବିଳମ୍ବିତ ରାତି (ପ୍ରାୟ ୨ଟା) ସମୟରେ ଦୁଇ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ପାଚେରୀ ଡେଇଁ ସେମାନଙ୍କ ଘରେ ପଶିଥିଲେ। ଅଭିଯୁକ୍ତମାନେ ପ୍ରଥମେ କୃଷ୍ଣଙ୍କୁ ଲଙ୍କାଗୁଣ୍ଡ/ପେପର ସ୍ପ୍ରେ ମାରି ଲୁହା ରଡ୍ରେ ନିର୍ମମ ଭାବେ ପିଟିଥିଲେ। ପୁଅକୁ ବଞ୍ଚାଇବାକୁ ଆସି ବାପା ହିମାଂଶୁ ଏବଂ ଭଉଣୀ ତାପସୀ ପାଢ଼ୀ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ।
ଘଟଣାସ୍ଥଳରେ ହିଁ କୃଷ୍ଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଏମ୍ସ (AIIMS) ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ବାପା ହିମାଂଶୁ ପାଢ଼ୀ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ଭଉଣୀ ତାପସୀ ମଧ୍ୟ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି।
ପୋଲିସ ତଦନ୍ତରୁ ଜଣାପଡିଛି ଯେ, ବର୍ଷେ ତଳେ ଏକ କୋଚିଂ ସେଣ୍ଟରରେ ଜଣେ ନାବାଳିକାଙ୍କୁ ପ୍ରେମ ନିବେଦନ କରିବାକୁ ନେଇ କୃଷ୍ଣଙ୍କ ସହ ଅଭିଯୁକ୍ତମାନଙ୍କର ବିବାଦ ଚାଲିଥିଲା। ଏହି ପୂର୍ବ ଶତ୍ରୁତାର ସୀମା ପାର ହୋଇ ଶେଷରେ ଏକ ଯୋଜନାବଦ୍ଧ ଭାବେ ଏହି ବୀଭତ୍ସ ହତ୍ୟାକାଣ୍ଡ ରୂପ ନେଇଥିଲା।
ଭୁବନେଶ୍ୱର ଡିସିପି ଓ ଖଣ୍ଡଗିରି ପୋଲିସ ସ୍ପେଶାଲ ସ୍କ୍ୱାଡ୍, ସାଇଣ୍ଟିଫିକ୍ ଟିମ୍ ଏବଂ ଡଗ୍ ସ୍କ୍ୱାଡ୍ ସହାୟତାରେ ସିସିଟିଭି ଫୁଟେଜ୍ ଆଧାରରେ ଦୁଇ ନାବାଳକଙ୍କୁ କାବୁ କରିଛି। ସେମାନଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ଲୁହା ରଡ୍, ପେପର ସ୍ପ୍ରେ, ମୋବାଇଲ୍ ଏବଂ ବାଇକ୍ ଜବତ କରାଯାଇଛି। ବର୍ତ୍ତମାନ ଅଭିଯୁକ୍ତମାନଙ୍କୁ ବାଲ୍ ସୁଧାର ଗୃହ (Observation Home)କୁ ପଠାଯାଇଛି ଏବଂ ଘଟଣାରେ ସଂପୃକ୍ତ ଅନ୍ୟ କିଛି ସନ୍ଦିଗ୍ଧଙ୍କୁ ଅଟକ ରଖି ପୋଲିସ ଅଧିକ ପଚରାଉଚରା ଚଳାଇଛି।
ରାଜଧାନୀରେ ନାବାଳକଙ୍କ ଦ୍ୱାରା ବଢୁଥିବା ଏଭଳି ସାଂଘାତିକ ଅପରାଧ ଏବେ ସମାଜ ଓ ପୋଲିସ ପାଇଁ ସବୁଠାରୁ ବଡ଼ ଚିନ୍ତାର ବିଷୟ ପାଲଟିଛି।"
