--:--:--
-- ---
Srishti News

ଚିକିଟି କଲେଜରେ ବ୍ୟାପକ ଅନିୟମିତତା ଅଭିଯୋଗ: ନିରପେକ୍ଷ ତଦନ୍ତ ଦାବି କଲେ ଶ୍ରୀରୂପ ଦେବ

Ganjam (ଗଞ୍ଜାମ)ରିପୋର୍ଟ: କବିରାଜ ପାତ୍ର, ସ୍ଵତନ୍ତ୍ର ପ୍ରତିନିଧିJuly 1, 202660 views
ଚିକିଟି କଲେଜରେ ବ୍ୟାପକ ଅନିୟମିତତା ଅଭିଯୋଗ: ନିରପେକ୍ଷ ତଦନ୍ତ ଦାବି କଲେ ଶ୍ରୀରୂପ ଦେବ
ଚିକିଟି : ଚିକିଟି ମହାବିଦ୍ୟାଳୟରେ ଦୀର୍ଘ ଦିନ ହେବ ଚାଲିଥିବା ପ୍ରଶାସନିକ ଏବଂ ଆର୍ଥିକ ଅନିୟମିତତାକୁ ନେଇ ରବିବାର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଚିନ୍ମୟାନନ୍ଦ ଶ୍ରୀରୂପ ଦେବ ଯୋଗଦେଇ କଲେଜର ଅବ୍ୟବସ୍ଥା ବିରୋଧରେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଏହାର ଏକ ଉଚ୍ଚସ୍ତରୀୟ ଏବଂ ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛନ୍ତି। କଲେଜର ପ୍ରଶାସନିକ କାର୍ଯ୍ୟ ଏବଂ ଆର୍ଥିକ ପରିଚାଳନାରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ଅଭିଯୋଗ ଆସିଛି। ପୂର୍ବ ସରକାରଙ୍କ ସମୟରେ କଲେଜରେ ପିଜି (PG) ଶ୍ରେଣୀ ଅପ୍‌ଗ୍ରେଡ୍ ହୋଇଥିଲା। ବର୍ତ୍ତମାନ ଯୁକ୍ତ ୩ ଏବଂ ପିଜି ଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ହଷ୍ଟେଲରେ ନିୟମ ବାହାରେ ଯୁକ୍ତ ୨ ଛାତ୍ରୀମାନଙ୍କୁ ରହିବାକୁ କର୍ତ୍ତୃପକ୍ଷ କିଭଳି ଅନୁମତି ଦେଲେ, ସେ ନେଇ ପ୍ରଶ୍ନ ଉଠିଛି। ନୂତନ ଭାବେ ଯୋଗ ଦେଇଥିବା ଛାତ୍ରଛାତ୍ରୀମାନଙ୍କ ଠାରୁ କଲେଜର କିଛି ଅଧ୍ୟାପକ ବେଆଇନ ଭାବେ ଅର୍ଥ ଆଦାୟ କରୁଥିବା ଏବଂ ପଇସା ନଦେଲେ ମାର୍କ କମାଇ ଦେବାର ଧମକ ଦେଉଥିବା ପରି ସଙ୍ଗୀନ ଅଭିଯୋଗ ଆସିଛି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଜଡ଼ିତ ଏହି ସମ୍ବେଦନଶୀଳ ମାମଲାରେ ସରକାର ଓ ସମ୍ପୃକ୍ତ ବିଭାଗ ତୁରନ୍ତ ହସ୍ତକ୍ଷେପ କରି ସତ୍ୟାସତ୍ୟ ଯାଞ୍ଚ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।