--:--:--
-- ---
Srishti News

ଘୁଷୁରାମୁଣ୍ଡା ଅଙ୍ଗନବାଡ଼ି ପାଚିକା ବିବାଦ: ପ୍ରଶାସନର ମଧ୍ୟସ୍ଥତାରେ ଖୋଲିଲା ତାଲା, ମାତୃମଣ୍ଡଳୀ ହାତକୁ ଗଲା ଦାୟିତ୍ୱ

Balangir (ବଲାଙ୍ଗୀର)ରିପୋର୍ଟ: କୃଷ୍ଣଚନ୍ଦ୍ର ମାଝୀ, ମୁରିବାହାଲJuly 1, 2026182 views
ଘୁଷୁରାମୁଣ୍ଡା ଅଙ୍ଗନବାଡ଼ି ପାଚିକା ବିବାଦ: ପ୍ରଶାସନର ମଧ୍ୟସ୍ଥତାରେ ଖୋଲିଲା ତାଲା, ମାତୃମଣ୍ଡଳୀ ହାତକୁ ଗଲା ଦାୟିତ୍ୱ
ମୁରିବାହାଲ :-୧/୭/୨୬ ପାଚିକା ନିଯୁକ୍ତି ଅଶାନ୍ତିର ଅସ୍ଥାୟୀ ସମାଧାନ କଲା ଶାନ୍ତି କମିଟି ଉପଜିଲ୍ଲାପାଳ ଓ ପୋଲିସ ପ୍ରଶାସନ ଉପସ୍ଥିତିରେ ଗ୍ରାମବାସୀଙ୍କ ସହ ଆଲୋଚନା ନୂତନ ମାତୃ କମିଟି ତଦାରଖରେ ପ୍ରସ୍ତୁତ ହେବ ପିଲାଙ୍କ ରନ୍ଧାଖାଦ୍ୟ ମୁରିବାହାଲ ବ୍ଲକ୍ ଘୁଷୁରାମୁଣ୍ଡା ଅଙ୍ଗନବାଡ଼ି କେନ୍ଦ୍ରର ପାଚିକା ଚୟନକୁ କେନ୍ଦ୍ର କରି ଦେଖାଦେଇଥିବା ଦୀର୍ଘଦିନର ବିବାଦରେ ଶେଷରେ ଏକ ସାମୟିକ ସମାଧାନର ବାଟ ବାହାରିଛି। ଗ୍ରାମରେ ସୃଷ୍ଟି ହୋଇଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ସମସ୍ୟାର ସମାଧାନ ପାଇଁ ପ୍ରଶାସନିକ ଅଧିକାରୀମାନେ ସେଠାରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ, ମୁରିବାହାଲ ବିଡିଓ ବାସନ୍ତୀ ସେଠି, ତହସିଲଦାର ଜଗଦୀଶ କର୍ତ୍ତାମୀ, କଣ୍ଟାବାଞ୍ଜି ଏସଡିପିଓ ଲକ୍ଷ୍ମୀନାରାୟଣ ମାରାଣ୍ଡି, ମୁରିବାହାଲ ଆଇଆଇସି ବୁଲୁ ମୁଣ୍ଡା ଏବଂ ସିଡିପିଓ ପୂର୍ଣ୍ଣିମା ବୈଠାରୁଙ୍କ ଉପସ୍ଥିତିରେ ଏକ ଗୁରୁତ୍ୱପୂର୍ଣ୍ଣ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସର୍ବସମ୍ମତି କ୍ରମେ ସରୋଜିନୀ ଭୋଇ, ଦୁଲଣି ଭୋଇ, ସେଭାଗିନୀ ବାଗ, ସଙ୍ଗୀତା ଝାଙ୍କର ଓ ରମା ଦାସଙ୍କୁ ନେଇ ଏକ ନୂତନ ମାତୃ ମଣ୍ଡଳୀ କମିଟି ଗଠନ କରାଯାଇଛି। ପାଚିକା ନିଯୁକ୍ତି ବିବାଦର ସ୍ଥାୟୀ ଫୈସଲା ନେବା ପର୍ଯ୍ୟନ୍ତ ଏହି ମାତୃମଣ୍ଡଳୀ ହିଁ କେନ୍ଦ୍ରର ଶିଶୁମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥାର ସମସ୍ତ ଦାୟିତ୍ୱ ତୁଲାଇବେ ବୋଲି ନିଷ୍ପତ୍ତି ହୋଇଛି। ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ କରି ଗ୍ରାମବାସୀ କେନ୍ଦ୍ରରେ ତାଲା ପକାଇ ଦେଇଥିଲେ। ଏ ସମ୍ପର୍କରେ ସୂଚନା ଦେଇ ଉପଜିଲ୍ଲାପାଳ କହିଛନ୍ତି ଯେ, କେତେକ ଯୋଗାଯୋଗର ଅଭାବ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିଲା। ପ୍ରାଥମିକ ତଦନ୍ତରୁ କୌଣସି ଅନିୟମିତତା ଜଣାପଡ଼ି ନଥିଲେ ସୁଦ୍ଧା ଗ୍ରାମବାସୀଙ୍କ ଅଭିଯୋଗକୁ ଗୁରୁତ୍ୱ ଦିଆଯାଇଛି ଏବଂ ଯଦି କୌଣସି ତ୍ରୁଟି ଥାଏ, ତେବେ ତାହାର ସଂଶୋଧନ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ କେନ୍ଦ୍ରର ତାଲା ଖୋଲାଯାଇଛି। ଏଣିକି ପିଲାଙ୍କ ପାଠପଢ଼ା ଓ ଖାଦ୍ୟ ବଣ୍ଟନ ସ୍ୱାଭାବିକ ହେବ। ଅପରପକ୍ଷରେ, ସିଡିପିଓ ପୂର୍ଣ୍ଣିମା ବୈଠାରୁ ସ୍ପଷ୍ଟ କରିଛନ୍ତି ଯେ ବିଭାଗ ପକ୍ଷରୁ କୌଣସି ବେଆଇନ କାର୍ଯ୍ୟ ହୋଇନାହିଁ, କେବଳ ଲୋକଙ୍କ ମଧ୍ୟରେ ଥିବା ଭ୍ରମଧାରଣାକୁ ଆଲୋଚନା ମାଧ୍ୟମରେ ଦୂର କରାଯାଇଛି। ୨୦୨୪ର ନୂତନ ସରକାରୀ ନିୟମାବଳୀ ଅନୁଯାୟୀ ଏହି ମାତୃ କମିଟି ଦ୍ୱାରା ସମସ୍ତ କାର୍ଯ୍ୟ ଶୃଙ୍ଖଳିତ ଭାବେ ପରିଚାଳିତ ହେବ। ଗ୍ରାମବାସୀଙ୍କ ସହଯୋଗ ପରେ ବର୍ତ୍ତମାନ ସେଠାରେ ସ୍ଥିତି ସମ୍ପୂର୍ଣ୍ଣ ଶାନ୍ତ ଓ ସ୍ୱାଭାବିକ ରହିଛି।