ତାଳଚେରରେ ଅଘୋଷିତ ଘନଘନ ବିଦ୍ୟୁତ୍ କାଟ୍: ଅତିଷ୍ଠ ଜନଜୀବନ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJuly 1, 202657 views

ଅନୁଗୋଳ: ରାଜ୍ୟର ଅନ୍ୟତମ ଶିଳ୍ପନଗରୀ ତାଳଚେରରେ ଅଘୋଷିତ ଘନଘନ ବିଦ୍ୟୁତ୍ କାଟ୍ ଓ ଲୋ-ଭୋଲଟେଜ୍ ସମସ୍ୟା ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଅଞ୍ଚଳରେ ଏନଟିପିସି, ଟିଟିପିଏସ୍, ରେଙ୍ଗାଳୀ ସମେତ ଏକାଧିକ ବୃହତ୍ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ଥିବା ସତ୍ତ୍ୱେ ସ୍ଥାନୀୟ ଲୋକଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ମିଳୁନଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି।
ସ୍ଥାନୀୟଙ୍କ କହିବା ଅନୁସାରେ, ବର୍ଷା କିମ୍ବା ବଜ୍ରପାତ ନଥିଲେ ମଧ୍ୟ ବାରମ୍ବାର ବିଦ୍ୟୁତ୍ କାଟ୍ ହେଉଛି। ଏହା ସହ ଲୋ-ଭୋଲଟେଜ୍ ସମସ୍ୟା ମଧ୍ୟ ଦୈନନ୍ଦିନ ଜୀବନକୁ ବ୍ୟାପକ ଭାବେ ପ୍ରଭାବିତ କରୁଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ଗରମ ମଧ୍ୟରେ ଘନଘନ ବିଦ୍ୟୁତ୍ କାଟ୍ ଯୋଗୁଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ପୂର୍ବରୁ ସେସୁ ଅଧୀନରେ ଥିବା ସମୟରେ ଯେତିକି ବିଦ୍ୟୁତ୍ ବିଭ୍ରାଟ ହେଉଥିଲା, ବର୍ତ୍ତମାନ ଟାଟା ପାୱାର ଅଧୀନରେ ତାହା ଅଧିକ ବୃଦ୍ଧି ପାଇଛି। ବାରମ୍ବାର ବିଦ୍ୟୁତ୍ କାଟ୍ ଓ ଲୋ-ଭୋଲଟେଜ୍ ସମସ୍ୟା ଯୋଗୁଁ ଘରୋଇ ଉପଭୋକ୍ତାଙ୍କ ସହ ବ୍ୟବସାୟୀମାନେ ମଧ୍ୟ କ୍ଷତିଗ୍ରସ୍ତ ହେଉଛନ୍ତି।
ରାଜ୍ୟ ସରକାର ଖରାଦିନରେ ଅନାବଶ୍ୟକ ବିଦ୍ୟୁତ୍ କାଟ୍ ନକରିବାକୁ ନିର୍ଦ୍ଦେଶ ଦେଇଥିବା ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଏଭଳି ଘଟଣାରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଥିଲେ। ତେବେ ତାଳଚେରରେ ସେହି ନିର୍ଦ୍ଦେଶର କୌଣସି ପ୍ରତିଫଳନ ଦେଖିବାକୁ ମିଳୁନଥିବା ବୋଲି ସ୍ଥାନୀୟ ଲୋକେ କହୁଛନ୍ତି।
ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଅଞ୍ଚଳବାସୀ ସରକାର ଓ ବିଦ୍ୟୁତ୍ ବଣ୍ଟନ କମ୍ପାନୀ ନିକଟରେ ଦାବି କରିଛନ୍ତି। ଶୀଘ୍ର ପଦକ୍ଷେପ ନ ନିଆଗଲେ ଆଗାମୀ ଦିନରେ ବ୍ୟାପକ ଜନଆନ୍ଦୋଳନ ହେବାର ସମ୍ଭାବନା ଥିବା ନେଇ ମଧ୍ୟ ସେମାନେ ଚେତାବନୀ ଦେଇଛନ୍ତି।
