ଭାରତୀୟ ଚଳଚ୍ଚିତ୍ର ଶିଳ୍ପକୁ ପ୍ରୋତ୍ସାହନ: କେନ୍ଦ୍ରର ଦୁଇ ବଡ଼ ପଦକ୍ଷେପ
Bhubaneswar (ଭୁବନେଶ୍ୱର)ରିପୋର୍ଟ: ସୁକାନ୍ତ ପ୍ରଧାନ ଭୁବନେଶ୍ୱରJuly 1, 202626 views

ନୂଆଦିଲ୍ଲୀ, ଜୁନ୍ ୨୯: ଭାରତୀୟ ଚଳଚ୍ଚିତ୍ର ଶିଳ୍ପକୁ ବିଶ୍ୱସ୍ତରରେ ଅଧିକ ପ୍ରତିଯୋଗିତାମୂଳକ କରିବା ଏବଂ ଦେଶରେ ସିନେମା ହଲ୍ର ସଂଖ୍ୟା ବଢ଼ାଇବା ଲକ୍ଷ୍ୟରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଘୋଷଣା କରିଛି।
କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ପ୍ରଥମ ପଦକ୍ଷେପ ସ୍ୱରୂପ ପ୍ରସୂନ ଜୋଶୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଅଧ୍ୟୟନ ଗୋଷ୍ଠୀ ଗଠନ କରାଯାଇଛି। ଏହି ଗୋଷ୍ଠୀରେ ଚଳଚ୍ଚିତ୍ର ଜଗତର ବିଶେଷଜ୍ଞ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ପ୍ରତିନିଧିମାନେ ସାମିଲ ହେବେ।
ଗୋଷ୍ଠୀ ଭାରତୀୟ ସିନେମାର ସମ୍ଭାବନା ଓ ଚ୍ୟାଲେଞ୍ଜର ସମୀକ୍ଷା କରିବା ସହ ଏଆଇ, ଭର୍ଚୁଆଲ୍ ପ୍ରଡକ୍ସନ୍, ଆର୍ଥିକ ସହାୟତା, ନିବେଶ ଓ ବଣ୍ଟନ ବ୍ୟବସ୍ଥା ଭଳି ବିଷୟରେ ସୁପାରିଶ ଦେବ। ଏହା ତିନି ମାସ ମଧ୍ୟରେ ମନ୍ତ୍ରଣାଳୟକୁ ନିଜ ରିପୋର୍ଟ ଦାଖଲ କରିବ।
ଦ୍ୱିତୀୟ ପଦକ୍ଷେପ ଭାବେ ମନ୍ତ୍ରଣାଳୟ ‘ମଡେଲ୍ ରାଜ୍ୟ ସିନେମା ନିୟମାବଳୀ’ ପ୍ରସ୍ତୁତ କରି ସମସ୍ତ ରାଜ୍ୟ ସରକାରଙ୍କୁ ପଠାଇଛି। ସିନେମା ହଲ୍ ସ୍ଥାପନ ପାଇଁ ଅନୁମତି ପ୍ରକ୍ରିୟାକୁ ସରଳ ଓ ଏକରୂପ କରିବା ସହ ଛୋଟ ସହର ଏବଂ ଗ୍ରାମାଞ୍ଚଳରେ ସିନେମା ଭିତ୍ତିଭୂମିର ବିକାଶକୁ ତ୍ୱରାନ୍ୱିତ କରିବା ଏହାର ଲକ୍ଷ୍ୟ।
ମନ୍ତ୍ରଣାଳୟର କହିବାନୁସାରେ, ଏହି ଦୁଇ ପଦକ୍ଷେପ ଭାରତୀୟ ଚଳଚ୍ଚିତ୍ର ଶିଳ୍ପକୁ ଅଧିକ ସୁଦୃଢ଼, ଆଧୁନିକ ଓ ବିଶ୍ୱସ୍ତରରେ ପ୍ରତିଯୋଗିତାମୂଳକ କରିବା ସହ ସିନେମା ଶିଳ୍ପର ସାମଗ୍ରିକ ବିକାଶରେ ସହାୟକ ହେବ।
