ଡୁଡା ସମୀକ୍ଷା ବୈଠକରେ ଜିଲ୍ଲାପାଳଙ୍କ କଡ଼ା ବାର୍ତ୍ତା: ରାଜସ୍ୱ ସଂଗ୍ରହ ବଢ଼ାନ୍ତୁ, ଯୋଜନା କାର୍ଯ୍ୟାନ୍ୱୟନରେ ଆଣନ୍ତୁ ଗତି
Nayagarh (ନୟାଗଡ଼)ରିପୋର୍ଟ: ମଳୟ ମେହେର ଓ ବିଜୟ ବରିହାJune 30, 202631 views

ନୂଆପଡ଼ା, ୩୦/୦୬:
ନଗରାଞ୍ଚଳର ସର୍ବାଙ୍ଗୀଣ ବିକାଶ ଓ ବିଭିନ୍ନ କଲ୍ୟାଣମୂଳକ ଯୋଜନାର ସୁଚାରୁ ରୂପାୟନକୁ ଗୁରୁତ୍ୱ ଦେଇ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ନଗର ଉନ୍ନୟନ ସଂସ୍ଥା (ଡୁଡା)ର ସମୀକ୍ଷା ବୈଠକ ମଙ୍ଗଳବାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ବୈଠକରେ ନଗର ଉନ୍ନୟନ ସହ ଜଡ଼ିତ ବିଭିନ୍ନ ଯୋଜନାର ଅଗ୍ରଗତିକୁ ନେଇ ବିସ୍ତୃତ ସମୀକ୍ଷା କରାଯିବା ସହ କାର୍ଯ୍ୟାନ୍ୱୟନରେ ଅଧିକ ତ୍ୱରାନ୍ୱିତ ହେବାକୁ ନିର୍ଦ୍ଦେଶ ଦିଆଯାଇଛି।
ପ୍ରାରମ୍ଭରେ ମୁଖ୍ୟ ଉନ୍ନୟନ ଅଧିକାରୀ (ସିଡିଓ) ଲମ୍ବୋଦର ଧରୁଆ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ବୈଠକର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ସୂଚନା ଦେଇଥିଲେ ।
ବୈଠକରେ ନୂଆପଡ଼ା, ଖଡ଼ିଆଳ ଓ ଖରିଆର ରୋଡ୍ ଏନଏସିରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ଏନଏସିଗୁଡ଼ିକର ଆର୍ଥିକ ସ୍ଥିତି, ଅନୁଦାନର ସଦ୍ବ୍ୟବହାର, ୟୁଟିଲାଇଜେସନ ସାର୍ଟିଫିକେଟ୍ (ୟୁସି) ଦାଖଲ, ରାଜସ୍ୱ ସଂଗ୍ରହ, ଘନ ବର୍ଜ୍ୟ ପରିଚାଳନା, ସ୍ୱଚ୍ଛ ଭାରତ ମିଶନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ), ପିଏମ୍ଏୱାଇ-୨.୦, ଏମ୍ଏସ୍ବିୱାଇ, ସହଯୋଗ, ମୋ ପୋଖରୀ, ମଲ୍ଟିପର୍ପୋଜ୍ ହଲ୍ ଓ ପିଏମ୍ ସ୍ୱନିଧି ଯୋଜନାର ପ୍ରଗତିକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା ।
ସମୀକ୍ଷାରେ ସୂଚନା ଦିଆଯାଇଥିଲା ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ଅଧୀନରେ ନୂଆପଡ଼ା ଏନଏସିରେ ୧୬୩୨ଟି, ଖଡ଼ିଆଳ ଏନଏସିରେ ୩୨୧୭ଟି ଏବଂ ଖରିଆର ରୋଡ୍ ଏନଏସିରେ ୧୨୩୪ଟି ଘର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ସେହିପରି ଘନ ବର୍ଜ୍ୟ ପରିଚାଳନା କାର୍ଯ୍ୟକ୍ରମ ଅଧୀନରେ ନୂଆପଡ଼ାର ୧୪ଟି, ଖଡ଼ିଆଳର ୧୩ଟି ଓ ଖରିଆର ରୋଡ୍ର ୧୯ଟି ୱାର୍ଡରେ ଘରକୁ ଘର ବର୍ଜ୍ୟ ସଂଗ୍ରହ ଓ ପୃଥକୀକରଣ କାର୍ଯ୍ୟ ସଫଳତାର ସହ ଚାଲିଥିବା ସୂଚନା ଦିଆଯାଇଥିଲା ।
ବୈଠକରେ ଜିଲ୍ଲାପାଳ ଶ୍ରୀ ଦାଶ ରାଜସ୍ୱ ସଂଗ୍ରହକୁ ଆହୁରି ସୁଦୃଢ଼ କରିବା, ବିଭିନ୍ନ ଯୋଜନାର ସମୟବଦ୍ଧ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ଏବଂ ନଗରବାସୀଙ୍କୁ ଉନ୍ନତମାନର ଜନସେବା ପ୍ରଦାନ ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ। ସେ ଅଧିକାରୀମାନଙ୍କୁ ଲକ୍ଷ୍ୟଭିତ୍ତିକ କାର୍ଯ୍ୟ କରି ସମସ୍ତ ଯୋଜନାର ସଫଳ ରୂପାୟନ ପାଇଁ ସମନ୍ୱୟ ରକ୍ଷା କରିବାକୁ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ଉତ୍କୃଷ୍ଟ ଟିକସ ସଂଗ୍ରହ କରିଥିବା ତିନିଜଣ ଟିକସ ସଂଗ୍ରାହକଙ୍କୁ ଜିଲ୍ଲାପାଳ ପ୍ରଶଂସାପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ।
ବୈଠକରେ ନୂଆପଡ଼ା ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଚନ୍ଦ୍ରକାର, ଖଡ଼ିଆଳ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାଧୀନ ମହାରଣା, ଖରିଆର ରୋଡ୍ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ କମଳାସନ ରଥ, ଡୁଡାର କର୍ମଚାରୀ, ମ୍ୟୁନିସିପାଲ ଇଞ୍ଜିନିୟର, ଏମ୍ଆଇଏସ୍ କର୍ମଚାରୀ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।
