--:--:--
-- ---
Srishti News

POP ମୂର୍ତ୍ତି ବନ୍ଦ କରି ମାଟି ମୂର୍ତ୍ତିକୁ ପ୍ରୋତ୍ସାହନ ଦେବାକୁ ଜିଲ୍ଲାପାଳଙ୍କୁ ଦାବି

Nuapada (ନୂଆପଡ଼ା)ରିପୋର୍ଟ: ଭଜନ ଲାଲ ଜଗତJune 30, 2026139 views
POP ମୂର୍ତ୍ତି ବନ୍ଦ କରି ମାଟି ମୂର୍ତ୍ତିକୁ ପ୍ରୋତ୍ସାହନ ଦେବାକୁ ଜିଲ୍ଲାପାଳଙ୍କୁ ଦାବି
ଖଡ଼ିଆଳ: ୩୦/୦୬ ପରିବେଶ ସୁରକ୍ଷା, ପାରମ୍ପରିକ କଳାର ସଂରକ୍ଷଣ ଓ ସ୍ଥାନୀୟ ମୂର୍ତ୍ତି କାରିଗରଙ୍କ ଜୀବିକାକୁ ସୁରକ୍ଷିତ ରଖିବା ଦାବିରେ ପଶ୍ଚିମ ଓଡ଼ିଶା ମୂର୍ତ୍ତି କାରିଗର ସଂଘ ପକ୍ଷରୁ ନୂଆପଡ଼ା ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ)ଙ୍କ ଜରିଆରେ ଏକ ବିସ୍ତୃତ ଦାବିପତ୍ର ପ୍ରଦାନ କରାଯାଇଛି । ଏଥିରେ ଜିଲ୍ଲାରେ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ (POP)ରେ ନିର୍ମିତ ଗଣେଶ ଓ ବିଶ୍ୱକର୍ମା ମୂର୍ତ୍ତିର ଉତ୍ପାଦନ, ଆମଦାନି ଓ ବିକ୍ରୟ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧ ଲାଗୁ କରିବାକୁ ଦୃଢ଼ ଦାବି କରାଯାଇଛି । ସଂଘର କହିବା ଅନୁସାରେ, ସମ୍ପ୍ରତି ବାହାର ରାଜ୍ୟରୁ ବ୍ୟବସାୟିକ ଭାବେ ବହୁ ପରିମାଣରେ POP ମୂର୍ତ୍ତି ପଶ୍ଚିମ ଓଡ଼ିଶାର ବଜାରକୁ ଆସୁଛି । ଏହି ମୂର୍ତ୍ତିଗୁଡ଼ିକ ଛାଞ୍ଚ ମାଧ୍ୟମରେ ତିଆରି ହେଉଥିବାରୁ ପାରମ୍ପରିକ ହସ୍ତକଳାର ମୂଲ୍ୟବୋଧ ଓ ସୃଜନଶୀଳତା ଏଥିରେ ଅନୁପସ୍ଥିତ ରହୁଛି । ଫଳରେ ପିଢ଼ି ପରମ୍ପରାରେ ମାଟି ମୂର୍ତ୍ତି ତିଆରି କରି ଜୀବିକା ନିର୍ବାହ କରୁଥିବା ସ୍ଥାନୀୟ କାରିଗରମାନେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି । ଦାବିପତ୍ରରେ ଆହୁରି ଦର୍ଶାଯାଇଛି ଯେ, POP ମୂର୍ତ୍ତିରେ ବ୍ୟବହୃତ ରାସାୟନିକ ପଦାର୍ଥ ଜଳ ଓ ମାଟିକୁ ଗୁରୁତର ଭାବେ ପ୍ରଦୂଷିତ କରିଥାଏ । ବିସର୍ଜନ ପରେ ଏହା ସହଜରେ ମିଶି ନଯିବାରୁ ଜଳାଶୟ ଓ ପରିବେଶ ଉପରେ ଦୀର୍ଘମିଆଦି କୁପ୍ରଭାବ ପଡ଼ୁଛି । ତେଣୁ ପ୍ରାଚୀନ ପରମ୍ପରା ଅନୁଯାୟୀ ମାଟି, ଗୋବର ଓ ଅନ୍ୟାନ୍ୟ ପ୍ରାକୃତିକ ପଦାର୍ଥରେ ନିର୍ମିତ ପରିବେଶ ଅନୁକୂଳ ମୂର୍ତ୍ତିକୁ ପ୍ରୋତ୍ସାହନ ଦେବା ସମୟର ଆବଶ୍ୟକତା ବୋଲି ସଂଘ ମତ ପ୍ରକାଶ କରିଛି । ସଂଘ ଅଭିଯୋଗ କରିଛି ଯେ, ମହାରାଷ୍ଟ୍ର, ଛତିଶଗଡ଼ ଓ ଓଡ଼ିଶାର କେତେକ ଜିଲ୍ଲାରେ POP ମୂର୍ତ୍ତି ଉପରେ କଟକଣା ଲାଗୁ ହୋଇଥିବାରୁ ବାହାର ରାଜ୍ୟର ବ୍ୟବସାୟୀମାନେ ପଶ୍ଚିମ ଓଡ଼ିଶାକୁ ବଡ଼ ବଜାର ଭାବେ ବାଛି ନେଇଛନ୍ତି । ଏହାର ପ୍ରଭାବରେ ସ୍ଥାନୀୟ କାରିଗରମାନେ ନିଜ ଶିଳ୍ପର ଉଚିତ ମୂଲ୍ୟ ପାଉନଥିବା ବେଳେ ଅନେକେ ଜୀବିକା ହରାଇ ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ସଂଘ ପକ୍ଷରୁ ଜିଲ୍ଲାରେ POP ମୂର୍ତ୍ତି ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧ, ମାଟି ଓ ପ୍ରାକୃତିକ ପଦାର୍ଥରେ ନିର୍ମିତ ମୂର୍ତ୍ତିକୁ ସରକାରୀ ପ୍ରୋତ୍ସାହନ, ସ୍ଥାନୀୟ କାରିଗରଙ୍କ ପାଇଁ ବଜାର ବ୍ୟବସ୍ଥା ଓ ଆର୍ଥିକ ସହାୟତା, ପ୍ରାକୃତିକ ରଙ୍ଗ ବ୍ୟବହାରକୁ ବାଧ୍ୟତାମୂଳକ କରିବା ସହ POP ମୂର୍ତ୍ତିର କ୍ଷତିକାରକ ପ୍ରଭାବ ସମ୍ପର୍କରେ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ କରିବାକୁ ଦାବି କରାଯାଇଛି । ଏହି ଅବସରରେ ପଶ୍ଚିମ ଓଡ଼ିଶା ମୂର୍ତ୍ତି କାରିଗର ସଂଘର ଜିଲ୍ଲା ସଭାପତି ଭରତ ସୁନାନୀ, ଜିଲ୍ଲା ସମ୍ପାଦକ ଘନଶ୍ୟାମ ବୋଡ଼େକଙ୍କ ସମେତ ରବୀନ୍ଦ୍ର ସାଗରିଆ, ଯୋଗେନ୍ଦ୍ର ପଟେଲ, ଲିଙ୍ଗରାଜ ସେଠ, ସତ୍ୟ ପଟେଲ, ନେହେରୁ ମେହେର, ହେମନ୍ତ ଦୁରିଆ, ରବୀନ୍ଦ୍ର ମାଝୀ, ଦୁର୍ଜନ ମେହେର ଓ ହେମନ୍ତ ମେହେର ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ। ଜିଲ୍ଲା ପ୍ରଶାସନ ଏହି ଦାବି ଉପରେ ଶୀଘ୍ର ସକାରାତ୍ମକ ପଦକ୍ଷେପ ନେବେ ବୋଲି ସଂଘ ଆଶା ପ୍ରକାଶ କରିଛି ।