ବାଲେଶ୍ଵରରେ ବଜ୍ରପାତରେ ୨ମୃତ
Balasore (ବାଲେଶ୍ୱର)ରିପୋର୍ଟ: ପ୍ରଭାତ କୁମାର ବାରିକ, ବାଲେଶ୍ଵରJune 30, 202643 views

ସୋମବାର ଅପରାହ୍ନରେ ବାଲେଶ୍ୱର ଜିଲ୍ଲାର ଦୁଇଟି ସ୍ଥାନରେ ବଜ୍ରପାତ ଘଟି ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ, ଟାଉନ ଥାନା ଅଧୀନ ତୁନଡାଟି ଅଞ୍ଚଳର କନକ ପଲେଇ (୫୫) ଓ ସଦର ଥାନା ଅଧୀନ ମିର୍ଜାପୁର ଅଞ୍ଚଳର ମଧୁସୂଦନ ମହାନ୍ତି (୭୮) ।
ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ଜୋରରେ ବର୍ଷା ପବନ ଆସିବା ସହ ବଜ୍ରପାତ ହୋଇଥିଲା । ଶ୍ରୀମତୀ ପଲେଇ ଛାତ ଉପରକୁ ଲୁଗା ତୋଳିବାକୁ ଯାଇଥିଲେ । ସେହି ସମୟରେ ବିଜୁଳି ମାରିଥିଲା । ଫଳରେ ସେ ଅଚେତ ହୋଇ ତଳେ ପଡିଯାଇଥିଲେ । ତାଙ୍କୁ ପରିବାର ଲୋକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମୃତ କନକଙ୍କ ମଝିଆ ପୁଅ ମୃତ୍ୟୁ ହେବାର ୭ ଦିନ ପରେ ମା’ଙ୍କ ଜୀବନ ଯିବା ଅଞ୍ଚଳରେ ଗଭୀର ଶୋକ ପ୍ରକାଶ କରିଛି ।
ସେହିପରି ସଦର ଥାନା ଅଧୀନ ମିର୍ଜାପୁର ଅଞ୍ଚଳର ଶ୍ରୀ ମହାନ୍ତି ମଧ୍ୟ ବଜ୍ରପାତରେ ପ୍ରାଣ ହରାଇଛନ୍ତି । ସେ ବିଲକୁ ଚାଷ କାମ ଦେଖିବାକୁ ଯାଇଥିବାବେଳେ ବର୍ଷା ଆରମ୍ଭ ହୋଇଥିଲା । ମଧୁସୂଦନ ବଜ୍ରପାତରେ ପ୍ରାଣ ହରାଇଥିବା ମେଡିକାଲ ଫାଣ୍ଡି ପୋଲିସ କହିଛି । ତାଙ୍କୁ ଡାକ୍ତରଖାନାକୁ ଆଣିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏନେଇ ସଦର ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହେବା ସହିତ, ମୃତ ଦୁଇ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ହେବ ବୋଲି ପୋଲିସ କହିଛି ।
ଅନ୍ୟପଟେ ବଜ୍ରପାତ ସମୟରେ ସହରର ବିସି ସେନ ରୋଡ ଅଞ୍ଚଳରେ ରହୁଥିବା ଲୋକଙ୍କ ଘରେ ଇନଭର୍ଟର, ଫ୍ରିଜ୍, ପଙ୍ଖା ଭଳି ବିଭିନ୍ନ ବୈଦ୍ୟୁତିକ ସାମଗ୍ରୀ ପୋଡିଯାଇଛି । ଏହା ସହିତ କିଛି ନଡ଼ିଆ ଗଛ ମଧ୍ୟ ଜଳିଯାଇଛି । ୨ଟି ନଡ଼ିଆ ଗଛରେ ବହୁ ସମୟ ଧରି ନିଆଁ ନ ଲିଭିବାରୁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।
