ଭଞ୍ଜନଗରରେ ବେଧଡ଼କ ଓଭରଲୋଡ୍ ବାଲି ଚାଲାଣ! କାହା ଛତ୍ରଛାୟାରେ ସକ୍ରିୟ ବାଲି ମାଫିଆ? ପରିବହନ ବିଭାଗର ନିରବତାକୁ ନେଇ ପ୍ରଶ୍ନ ?
Ganjam (ଗଞ୍ଜାମ)ଭଞ୍ଜନଗର, (ରିପୋର୍ଟ): ବିଜୟା ନନ୍ଦ ତ୍ରିପାଠୀJune 29, 202664 views

ଭଞ୍ଜନଗର ଅଞ୍ଚଳରେ ବେଆଇନ ଭାବେ ଓଭରଲୋଡ୍ ବାଲି ପରିବହନ ଦିନକୁ ଦିନ ବଢ଼ିବାରେ ଲାଗିଛି। ହାଇୱାରେ କ୍ଷମତାଠାରୁ ଅଧିକ ବାଲି ବୋଝେଇ ନୀତି ଦିନିଆ ରାସ୍ତାରେ ଚଳାଚଳ କରୁଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହା ଫଳରେ ସଡ଼କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଉଥିବା ସହ ସରକାରଙ୍କ ରାଜସ୍ୱ କ୍ଷତିଗ୍ରସ୍ତ ହେଉଥିବା ଆଶଙ୍କା ମଧ୍ୟ ପ୍ରକାଶ ପାଉଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ବାଲି ମାଫିଆମାନେ ଖୋଲାଖୋଲି ଓଭରଲୋଡ୍ ଗାଡ଼ି ଚଳାଚଳ କରୁଥିବା ସତ୍ତ୍ୱେ ସମ୍ପୃକ୍ତ ବିଭାଗ ପକ୍ଷରୁ ସେଭଳି କୌଣସି ଦୃଶ୍ୟମାନ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଫଳରେ ସାଧାରଣରେ ପ୍ରଶ୍ନ ଉଠୁଛି—କାହା ସ୍ୱାର୍ଥରେ ଏହି ବେଧଡ଼କ ବାଲି ଚାଲାଣ ଚାଲିଛି?
ଏପରି ପରିସ୍ଥିତିରେ ପରିବହନ ବିଭାଗ (RTO)ର ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଅଭିଯୋଗ ଅନୁଯାୟୀ, ନୀତି ଦିନିଆ ଓଭରଲୋଡ୍ ଗାଡ଼ି ଚଳାଚଳ କରୁଥିଲେ ମଧ୍ୟ ବିଭାଗ ପକ୍ଷରୁ ପ୍ରଭାବଶାଳୀ ଯାଞ୍ଚ କିମ୍ବା କଡ଼ା ପଦକ୍ଷେପ ନେଉଥିବା ଦେଖିବାକୁ ମିଳୁନାହିଁ। ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ପରିବହନ ବିଭାଗ (RTO) ନିଘୋଡ଼ ନିଦରେ ଶୋଇ ପଡ଼ିଛି କି? ବୋଲି ଚର୍ଚ୍ଚା ଜୋର ଧରିଛି।
ସ୍ଥାନୀୟ ବୁଦ୍ଧିଜୀବୀ ଓ ସାଧାରଣ ଲୋକ ଦାବି କରିଛନ୍ତି ଯେ, ଜିଲ୍ଲା ପ୍ରଶାସନ, ଖଣି ବିଭାଗ ଓ ପରିବହନ ବିଭାଗ ଏହି ଘଟଣାର ନିରପେକ୍ଷ ତଦନ୍ତ କରି ଯଦି ବେଆଇନ ଓଭରଲୋଡ୍ ପରିବହନ ହେଉଥାଏ, ତେବେ ଦୋଷୀଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଏଥିସହ ନିୟମିତ ଯାଞ୍ଚ କରି ଏଭଳି ବେଆଇନ କାରବାର ଉପରେ ରୋକ ଲଗାଇବାକୁ ସାଧାରଣରେ ଦାବି ହେଉଛି।
