ରାସ୍ତା ଉପରେ ଜଳିଗଲା ହାଇବା, ଅଳ୍ପକେ ବର୍ତ୍ତିଲେ ଚାଳକ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJune 29, 202667 views

ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ଅନ୍ତର୍ଗତ ସମଲ କେନାଲ ବାଇପାସ ରାସ୍ତାରେ ରବିବାର ବିଳମ୍ବିତ ରାତି ପ୍ରାୟ ୧୨:୩୦ ସମୟରେ ଏକ ହାଇବା ଟ୍ରକରେ ଅଚାନକ ନିଆଁ ଲାଗିଯିବାରୁ ଗାଡ଼ିଟି ସମ୍ପୂର୍ଣ୍ଣ ଜଳିପୋଡ଼ି ନଷ୍ଟ ହୋଇଯାଇଛି।
ସୂଚନା ଅନୁଯାୟୀ, OD 35 H 8199 ନମ୍ବର ବିଶିଷ୍ଟ ହାଇବା ଟ୍ରକଟି ଚଳାଚଳ କରୁଥିବା ବେଳେ ହଠାତ୍ ଶର୍ଟ ସର୍କିଟ ହେବାରୁ ଗାଡ଼ିରେ ନିଆଁ ଲାଗିଥିଲା। ପରିସ୍ଥିତିକୁ ବୁଝି ଚାଳକ ତୁରନ୍ତ ଗାଡ଼ିକୁ ରାସ୍ତା କଡ଼ରେ ଅଟକାଇ ବାହାରକୁ ଓହ୍ଲାଇ ପଡ଼ିଥିବାରୁ ବଡ଼ ଅଘଟଣରୁ ଅଳ୍ପକେ ରକ୍ଷା ପାଇଥିଲେ।
କିଛି ସମୟ ମଧ୍ୟରେ ନିଆଁ ସମଗ୍ର ଟ୍ରକକୁ ବ୍ୟାପିଯିବାରୁ ଗାଡ଼ିଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିଲା। ଖବର ପାଇ ସମଲ ପୋଲିସ ଓ କଣିହାଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ପ୍ରୟାସ ପରେ ନିଆଁକୁ ଆୟତ୍ତ କରିଥିଲେ।
ଏହି ଘଟଣାରେ କୌଣସି ଜୀବନହାନି ହୋଇନଥିବା ବେଳେ ଚାଳକ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ସୂଚନା ମିଳିଛି। ପ୍ରାଥମିକ ତଦନ୍ତରୁ ଶର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।
