ଅବ୍ୟବସ୍ଥା ଘେରରେ ବ୍ରିଟିଶ ଶାସନ ସମୟର ସୋମନାଥ ସରକାରୀ ବିଦ୍ୟାଳୟ , ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଦେଖୁଛନ୍ତି ପିଲାମାନେ
Khordha (ଖୋର୍ଦ୍ଧା)ରିପୋର୍ଟ: ନିରଞ୍ଜନ ମହାପାତ୍ର, ରଣପୁରJune 27, 202670 views

ରଣପୁର,୨୭/୦୬(): ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଦ୍ୟାଳୟକୁ ଚକାଚକ୍ କରୁଥିବା ବେଳେ ଆଜି ବି ଅବ୍ୟବସ୍ଥା ଘେରରେ ବ୍ରିଟିଶ ଶାସନ ସମୟର ସୋମନାଥ ବିଦ୍ୟାଳୟ ।ନୟାଗଡ ଜିଲ୍ଲା ଶିକ୍ଷା ରଣପୁର ବ୍ଲକ ଅନ୍ତର୍ଗତ ସରକାରୀ ସୋମନାଥ ଉଚ୍ଚ ମୌଳିକ ବିଦ୍ୟାଳୟ ରାଜସୁନାଖଳା ୧୯୪୫ ମସିହାରେ ସ୍ଥାପିତ ହୋଇ ଥିଲା। ଏହି ବିଦ୍ୟାଳୟଟି ବହୁ ପୁରାତନ କାଳରୁ ଚାଲୁ ରହିଛି । ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପାଠ ପଢା ଯାଇ ଥାଏ। ଏଠାରେ ୨୫୦ ରୁ ଉର୍ଦ୍ଧ ପିଲା ପାଠ ପଢୁଛନ୍ତି । ଏହି ବିଦ୍ୟାଳୟରେ ୯ଟି ଶ୍ରେଣୀ ଗୃହ ଥିବା ବେଳେ ୧୦ ଜଣ ଶିକ୍ଷକ ଅଛନ୍ତି ।ଏହି ବିଦ୍ୟାଳୟକୁ ରଙ୍ଗମାରି ଉପର ଚିକ୍କଣ କରାଯାଇ ଥିବା ବେଳେ ଭିତରର ବାସ୍ତବତା ରହିଛି ଅଲଗା । ଏହି ବିଦ୍ୟାଳୟର କାନ୍ଥ ଫାଟି ଆଁ କରି ଥିବାର ଦେଖିବାକୁ ମିଳିଛି । ଶ୍ରେଣୀ ଗୃହର ଝରକା କବାଟ ଉଇ ଖାଇ ନଷ୍ଟ କରି ସାରିଲାଣି ଏବଂ ଗୃହର ଟିଣ ଛପର ଉଡ଼ି ଗଲାଣି । ଫଳରେ ପିଲାମାନେ ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଦେଖୁଛନ୍ତି । ଟିଣ ଛପର ତଳେ ଲାଗିଥିବା କାଠ ଗୁଡ଼ିକ ଉଇ ଖାଇ ନଷ୍ଟ କରି ଦେଇଛି କେତେ ବେଳେ କଣ ଘଟି ଯାଇ ପରେ ତାହା କଳ୍ପନା ବାହାରେ ରହିଛି । ଆଗାମୀ ଦିନରେ ବର୍ଷାର ସମ୍ଭାବନା ରହୁ ଥିବାରୁ ପିଲା କେମିତି ପାଠ ପଢିବେ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ବହୁ ଅଭିଭାବକମାନେ ଏହି କାରଣରୁ ନିଜ ପିଲାମାନଙ୍କୁ ଅନ୍ୟାତ୍ର ପାଠ ପଢାଇବା ବାଧ୍ୟ ହେଉଛନ୍ତି । ଫଳରେ ବିଦ୍ୟାଳୟର ପିଲା ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଛି। ପ୍ରଶାସନ ଦୃଷ୍ଟି ନ ଦେଲେ କାଳକ୍ରମେ ଏଠାକୁ ଆସୁଥିବା ପିଲମାନଙ୍କ ସଂଖ୍ୟା କମି ଯାଇ ବ୍ରିଟିଶ ଅମଳର ବିଦ୍ୟାଳୟର ସ୍ମୁତି ସ୍ମୁତିରେ ରହି ଯିବ। ଏ ନେଇ ସ୍ଥାନୀୟ ବିଧାୟିକା ତଥା ବାଚସ୍ପତି ସୁରମା ପାଢୀ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକକୁ ଅଭିଯୋଗ କରି ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି ବୋଲି ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ପ୍ରସନ୍ନ କୁମାର ନାୟକ କହିଛନ୍ତି। ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଏହାର ତ୍ୱରିତ ସମାଧାନ କରିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।
