ଆସାଢ଼ ଖେନା ପୂଜାରେ ଭକ୍ତିମୟ ହେଲା ଦେଓଦରା: ମା’ ଇନ୍ଦ୍ରାଣୀ ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ
ରିପୋର୍ଟର: ଗିରେନ୍ଦ୍ର ଜଗତJune 27, 202647 views

କୋମନା, ୨୬/୦୬
ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ଦେଓଦରା ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ ମା’ ଇନ୍ଦ୍ରାଣୀ ଦେବୀଙ୍କ ପୀଠରେ ପାରମ୍ପରିକ ଆସାଢ଼ ଖେନା ପୂଜା ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଛି । ଏହି ଅବସରରେ ଅଞ୍ଚଳର ବହୁ ସଂଖ୍ୟକ ଭକ୍ତ ମା’ଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିବା ସହ ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଥିଲେ ।
ପ୍ରକୃତି ଉପାସନା ଓ ଗ୍ରାମ୍ୟ ଦେବୀ-ଦେବତାଙ୍କ ପୂଜା ପରମ୍ପରା ପାଇଁ ପରିଚିତ ଏହି ଅଞ୍ଚଳରେ ‘ବାର ମାସରେ ତେର ପର୍ବ’ ପାଳନ କରାଯାଏ। ବର୍ଷସାରା ବିଭିନ୍ନ ପର୍ବ ଓ ତିଥିରେ ମା’ ଇନ୍ଦ୍ରାଣୀଙ୍କ ସମେତ ଗ୍ରାମ୍ୟ ଦେବୀ-ଦେବତାଙ୍କ ନିକଟରେ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥାଏ । ସେହିପରି ମା’ଙ୍କ ପ୍ରମୁଖ ବାର୍ଷିକ ଉତ୍ସବ ଦଶହରା ବିଜୟାଦଶମୀ ଅବସରରେ ପାଳିତ ଛତର ଯାତ୍ରା ଅଞ୍ଚଳର ଏକ ପ୍ରମୁଖ ଧାର୍ମିକ ପରମ୍ପରା । ଏହି ଯାତ୍ରାରେ ଆଠଖଣ୍ଡ ଗାଁ ଓ ୨୪ ଟିକିରୀର ଶ୍ରଦ୍ଧାଳୁ, ସେବାୟତ ଓ ଗ୍ରାମବାସୀଙ୍କ ସକ୍ରିୟ ଅଂଶଗ୍ରହଣରେ ଉତ୍ସବ ଆଡ଼ମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଥାଏ ।
ସ୍ଥାନୀୟ ଲୋକବିଶ୍ୱାସ ଅନୁଯାୟୀ, ନିଷ୍ଠା ଓ ଭକ୍ତିର ସହ ମା’ ଇନ୍ଦ୍ରାଣୀଙ୍କ ଶରଣାପନ୍ନ ହେଲେ ଭକ୍ତଙ୍କ ମନୋକାମନା ପୂରଣ ହୁଏ । ନିଃସନ୍ତାନ ଦମ୍ପତିଙ୍କୁ ସନ୍ତାନ ପ୍ରାପ୍ତି, ଦରିଦ୍ର ପରିବାରକୁ ଆର୍ଥିକ ସମୃଦ୍ଧି ଏବଂ ସମସ୍ତ ଭକ୍ତଙ୍କୁ ସୁଖ, ଶାନ୍ତି ଓ ମଙ୍ଗଳ ପ୍ରଦାନ କରନ୍ତି ବୋଲି ଲୋକଙ୍କ ମଧ୍ୟରେ ଦୃଢ଼ ଆସ୍ଥା ରହିଛି ।
ଆସାଢ଼ ଖେନା ପୂଜା ଅବସରରେ ସମଗ୍ର ଦେଓଦରା ଗ୍ରାମ ଭକ୍ତିମୟ ପରିବେଶରେ ଉତ୍ସବମୁଖର ହୋଇଉଠିଥିଲା । ଭକ୍ତମାନଙ୍କ ଜୟଧ୍ୱନି, ପାରମ୍ପରିକ ରୀତିନୀତି ଓ ଧାର୍ମିକ ଆଚାର-ବିଚାର ମଧ୍ୟରେ ପୂଜା କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ମା’ ଇନ୍ଦ୍ରାଣୀ ମ୍ୟାନେଜିଂ ଟ୍ରଷ୍ଟର ସଭାପତି ମୁରଲୀଧର ଭୋଇ, ପୂଜକ ଧବଳେଶ୍ୱର ପୂଜାରୀ, ରାମେଶ୍ୱର ଛତ୍ରିଆ, ଜୟସିଂ ସିଂ ଛତ୍ରିଆ, ମହାଦେବ ଦୀପ, ଟୁନା ପୂଜାରୀ, ମହେନ୍ଦ୍ର ଦୀପ, ଘନ ଝାଙ୍କର, ଖାଡ଼ିରତ୍ନ ମାଝୀ, ମଦନ କଟା, ଜଗଲ ଚିନ୍ଦା, ଉଦେଶ୍ୱର ପୂଜାରୀ, କେଶରାଜ ମାଝୀ, ହରି ମାଝୀ, ଭଜ ମାଝୀ, ଚନ୍ଦ୍ର କଟା, ଜୟନ୍ତ ବାଗ, ହରିସିଂ ଧରୁଆ, ଫଗନୁ ହେଣ୍ଡା, ଦିଲୀପ ଦୀପ, ସାନ ମହାନନ୍ଦ, ସନୁ ମାଝୀଙ୍କ ସମେତ ଆଠଖଣ୍ଡ ଗାଁ ଓ ୨୪ ଟିକିରୀର ସେବାୟତ ଏବଂ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ ।
