--:--:--
-- ---
Srishti News

ଆସିକା ପୋଲିସ ଜାଲରେ ସୁଧ ବେପାରୀ, ୧୭ ବାଇକ୍ ସମେତ ବିପୁଳ ସାମଗ୍ରୀ ଜବତ

Ganjam (ଗଞ୍ଜାମ)ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ, ଆସିକା/ଭଞ୍ଜନଗରJune 27, 202675 views
ଆସିକା ପୋଲିସ ଜାଲରେ ସୁଧ ବେପାରୀ, ୧୭ ବାଇକ୍ ସମେତ ବିପୁଳ ସାମଗ୍ରୀ ଜବତ
ଗଞ୍ଜାମ ଜିଲ୍ଲାର ଆସିକା ପୋଲିସ ଜଣେ କଥିତ ସୁଧ ବେପାରୀଙ୍କୁ ଗିରଫ କରି ବିପୁଳ ପରିମାଣର ସାମଗ୍ରୀ ଜବତ କରିଛି। ଗିରଫ ବ୍ୟକ୍ତି ହେଲେ ମାମୁଁଡିହ ଗ୍ରାମର ଲକ୍ଷ୍ମଣ ପାଣି। ପୋଲିସ ସୂଚନା ଅନୁଯାୟୀ, ଲକ୍ଷ୍ମଣ ପାଣି ଦୀର୍ଘ ଦିନ ଧରି ସ୍ଥାନୀୟ ଲୋକଙ୍କୁ ଟଙ୍କା ଧାର ଦେଇ ଅତ୍ୟଧିକ ସୁଧ ଆଦାୟ କରୁଥିବା ଅଭିଯୋଗ ରହିଥିଲା। ଏହା ସହିତ ଋଣ ବଦଳରେ ଲୋକଙ୍କ ବାଇକ୍, ମୋବାଇଲ୍ ଫୋନ, ଜମିବାଡ଼ି ସମ୍ବନ୍ଧୀୟ କାଗଜପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ବନ୍ଧକ ରଖି ସେମାନଙ୍କୁ ହଇରାଣ କରୁଥିବା ଅଭିଯୋଗ ମଧ୍ୟ ଆସିଥିଲା। ଅଭିଯୋଗକୁ ଆଧାର କରି ଆସିକା ପୋଲିସ ତଦନ୍ତ କରି ଚଢ଼ାଉ ବେଳେ ଅଭିଯୁକ୍ତଙ୍କ ନିକଟରୁ ୧୭ଟି ମୋଟରସାଇକେଲ, ୧୮ଟି ମୋବାଇଲ୍ ଫୋନ, ନଗଦ ୩୧ ହଜାର ଟଙ୍କା, ୨୫ଟି ଡ୍ରାଇଭିଂ ଲାଇସେନ୍ସ, ୧୦ଟି ଏଟିଏମ୍ କାର୍ଡ ଓ ଏକ ଡାଏରୀ ଜବତ କରିଛି। ଆସିକା ଏସଡିପିଓ କହିଛନ୍ତି, ଜବତ ସାମଗ୍ରୀ ଓ ଅନ୍ୟାନ୍ୟ ଦସ୍ତାବିଜକୁ ଆଧାର କରି ତଦନ୍ତ ଜାରି ରହିଛି। ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁସାରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଚାଲିଛି।