ଘଣ୍ଟପଡ଼ା ରେଳ ଓଭରବ୍ରିଜ୍ ନିର୍ମାଣରେ ବିଳମ୍ବକୁ ନେଇ ଜନଅସନ୍ତୋଷ, ଶୀଘ୍ର କାମ ସମାପ୍ତ ଦାବି
Angul (ଅନୁଗୋଳ)ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନାJune 27, 202650 views

ତାଳଚେର: ତାଳଚେର ବ୍ଲକ ଅନ୍ତର୍ଗତ ଘଣ୍ଟପଡ଼ା ଗ୍ରାମପଞ୍ଚାୟତରେ ନିର୍ମାଣାଧୀନ ରେଳ ଓଭରବ୍ରିଜ୍ କାର୍ଯ୍ୟ ଦୀର୍ଘ ପ୍ରାୟ ଛଅ ବର୍ଷ ଧରି ଚାଲିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଏହି ରାସ୍ତା ଦେଇ ଅନନ୍ତ ମାଇନ୍ ସମେତ ଆଖପାଖ ଅଞ୍ଚଳର ହଜାର ହଜାର ଲୋକ ପ୍ରତିଦିନ ଯାତାୟାତ କରୁଥିବା ବେଳେ ବ୍ରିଜ୍ କାମ ଅଧାରେ ଅଟକି ରହିବାରୁ ସାଧାରଣ ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହେଉଛି। ଦୈନନ୍ଦିନ ଯାତାୟାତରେ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ସହ ଦୁର୍ଘଟଣାର ଆଶଙ୍କା ମଧ୍ୟ ବଢ଼ି ଚାଲିଛି।
ଏହି ପରିସ୍ଥିତିକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ପ୍ରତିବାଦ କରି ଯଥାଶୀଘ୍ର ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ସମ୍ପୃକ୍ତ ବିଭାଗ ନିକଟରେ ଦାବି ଜଣାଇଛନ୍ତି। ଯଦି ଅତିଶୀଘ୍ର କାର୍ଯ୍ୟ ସମ୍ପୂର୍ଣ୍ଣ ନହୁଏ, ତେବେ ଆଗାମୀ ଦିନରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବୃହତ୍ ଜନଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ବାସିନ୍ଦାମାନେ ଚେତାବନୀ ଦେଇଛନ୍ତି।
ସ୍ଥାନୀୟ ଲୋକଙ୍କ ଦାବି, ଦୀର୍ଘ ଦିନ ଧରି ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଥିବା ଏହି ପ୍ରକଳ୍ପକୁ ଶୀଘ୍ର ସମ୍ପୂର୍ଣ୍ଣ କରି ଜନସାଧାରଣଙ୍କ ଯାତାୟାତ ସମସ୍ୟାର ସ୍ଥାୟୀ ସମାଧାନ କରାଯାଉ।
